ବନ୍ୟା ପାଣିରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର
ଓଏଲ୍ ବ୍ୟୁରୋ: ବିହାରର ମୁଜାଫରପୁରରେ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି।ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବାସ୍ତବରେ ନେପାଳରେ ପ୍ରବଳ ବର୍ଷା ଏବଂ ବନ୍ୟା ପରେ ୨୯ ସେପ୍ଟେମ୍ବରରେ ଭେରପୁରର କୋସି ବ୍ୟାରେଜ୍ରୁ ୬,୬୧,୨୯୫ କ୍ୟୁସେକ୍ ଜଳ ଛଡ଼ାଯାଇଥିଲା। ୧୯୬୮ ପରଠାରୁ ଏହା ସର୍ବାଧିକ ଜଳ ଛଡ଼ା ହୋଇଛି। ୧୯୬୮ରେ ଏହି ବ୍ୟାରେଜ୍ରୁ ସର୍ବାଧିକ ୭.୮୮ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଇଥିଲା। ଏହି କାରଣରୁ ବିହାର ଏବଂ ୟୁପିର ଅନେକ ଜିଲାରେ ବନ୍ୟା ସଙ୍କଟ ଦେଖାଦେଇଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନାନୁସାରେ, ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ସୀତାମାରହି ଏବଂ ଦାରବଙ୍ଗା ଜିଲାର ଦୁଇଟି ଜିଲାରେ ଜଳବନ୍ଦୀ ଥିବା ଗ୍ରାମରେ ଶୁଖିଲା ରାଶନ ପ୍ୟାକେଟ ପକାଯାଇଥିଲା। ପ୍ରଭାବିତ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨,୨୬,୦୦୦ ଲୋକଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ୍ଡିଆର୍ଏଫ୍)/ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍ଡିଆର୍ଏଫ୍) ଏବଂ ସ୍ଥାନୀୟ ଡଙ୍ଗା ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ବନ୍ୟା ପ୍ରଭାବିତ ଜନସଂଖ୍ୟାକୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ର ୧୬ଟି ଟିମ୍ ଏବଂ ଏସ୍ଡିଆର୍ଏଫ୍ର ୧୪ଟି ଟିମ୍ ନିୟୋଜିତ ହୋଇଛନ୍ତି।