ହବିଷ୍ୟାଳିଙ୍କ ପାଇଁ ଅଢ଼େଇ କୋଟି
ଓଏଲ୍ ବ୍ୟୁରୋ: ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ। ଏଥିପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ହବିଷ୍ୟାଳିମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରିଛନ୍ତି। ଏନେଇ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସ ହେଉଛି ଧାର୍ମିକ ମାସ। କାର୍ତ୍ତିକ ମାସ ବ୍ରତ ପାଳନ ଦ୍ୱାରା ପୁଣ୍ୟ ଅର୍ଜିତ ହୁଏ ବୋଲି ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ବିଶ୍ୱାସ ରହିଛି। କାର୍ତ୍ତିକ ମାସ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅନେକ ହବିଷ୍ୟାଳି ମା’ ମାନେ ଏକାଠି ହୋଇଥା’ନ୍ତି । ହବିଷ୍ୟାଳି ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ଚଳିତ ବର୍ଷ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି।
ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ମା’ମାନେ ଯେପରି ନିଜର ବ୍ରତ ପାଳନ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏହାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।