Odisha Link
Bridging the Missing Links in Odisha

ବବି ଦାସ ଉପନିର୍ବାଚନ ଲଢ଼ିବା ପ୍ରସଙ୍ଗ: ଯାଜପୁର ବିଧାୟିକାଙ୍କ ବଡ଼ ବୟାନ..

ଓଏଲ୍‌ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଯାଜପୁର ବିଧାୟିକା। ବିଧାୟିକା ସୁଜାତା ସାହୁ କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ। ପ୍ରଣବ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ। ଯାହାଙ୍କ ପାଇଁ ମୁଁ ଏଯାଏ ଆସିଛି, ସେମାନେ ଏକଥା କହିନାହାନ୍ତି। ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ। ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି। ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, ଉପନିର୍ବାଚନରେ ନୁହେଁ।

ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ବବି ଆଉ କେଉଁ ନିର୍ବାଚନ ଲଢିବାକୁ କହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଯାଜପୁରରେ ପୁଣିଥରେ ଉପନିର୍ବାଚନ ହୋଇପାରେ। ଆଉ ଯାଜପୁର ବିଧାୟିକା ସୁଜାତା ସାହୁ ବଦଳରେ ବିଜେଡି ସୁପ୍ରିମୋ ବବିଙ୍କୁ ପୁଣିଥରେ ଯାଜପୁର ମଙ୍ଗ ଧରେଇ ପାରନ୍ତି। ବବିଙ୍କ ଏହି ବୟାନ ପରେ ଅନେକ ନେତା ମୁହଁ ଖୋଲିଥିଲେ। ବିଜେଡି ନେତା ଗଣେଶ୍ୱର ବେହେରା ମୁହଁ କହିଥିଲେ, ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ବବି ଦାସ ଜଣେ ଅନୁଭବୀ ଓ ସଫଳ ଯୋଦ୍ଧା। ଲଢ଼ିବାର ଅର୍ଥ ନୁହେଁ ନିର୍ବାଚନ ଲଢ଼ିବା। ଲଢ଼ିବାର ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢ଼ିବା।

ସୂଚନାଥାଉ ଅନୁସାରେ, ଗତକାଲି ଯାଜପୁରରେ ବିଜେଡିର ପଦଯାତ୍ରାରେ ବବି ଦାସ କହିଥିଲେ, ମୁଁ ପୁଣି ର୍ନିବାଚନ ଲଢିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କ ଠାରୁ ଅଲଗା କରିପାରିବେ ନାହିଁ।

ସୂଚନାଥାଉ କି, ବବିଙ୍କ ଏହି ମନ୍ତବ୍ୟ ପରେ ଯାଜପୁର ରାଜନୀତିରେ କମ୍ପନ ଦେଖିବାକୁ ମିଳୁଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ଯାଜପୁର ବିଧାନସଭା ର୍ନିବାଚନରେ ଉପର୍ନିବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ପୁଣି ଖୋରାକ ଯୋଗାଇଛି ବବିଙ୍କ ଏହି ମନ୍ତବ୍ୟ। ଆଲୋଚନା ହେଉଛି ଯେ, ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଲେ ସେହି ଆସନରୁ ବବି ପୁଣିଥରେ ର୍ନିବାଚନ ଲଢିପାରନ୍ତି। ଯାଜପୁରରେ ହେଉଥିବା ଏହି ସଭାରେ ବବି ସୁଜାତାଙ୍କ ଆଗରେ ଏପରି ଘୋଷଣା କରିବା ରାଜନୈତିକ ପାଣିପାଗକୁ ପୁଣି ଉଷ୍ମ କରି ଦେଇଛି।

Leave A Reply

Your email address will not be published.