Odisha Link
Bridging the Missing Links in Odisha

ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ, କହିଲେ-ଆପେ ଭାଙ୍ଗିଯିବ ବିଜେଡି

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ଓ ବିଜେଡି ବିଧାୟକଙ୍କ ଜବାବ ପରେ ଏବେ ବିଜେପି ବିଧାୟକ ବୟାନ ଆହୁରି ଚର୍ଚ୍ଚା ବଢ଼ାଇଛି।

ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ। ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଭାଙ୍ଗିଯିବ ବିଜେଡି। ଯେହେତୁ ଦେଶରେ ବିଜେପି ଏକମାତ୍ର ବିକଳ୍ପ, ସମସ୍ତେ ମିଶିବାକୁ ଇଛା କରିବେ। ତେବେ ବିଜେପି ବିଧାୟକଙ୍କ ଏହି ବୟାନ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଦେଇଛି।

ସୂଚନା ଅନୁସାରେ, ଗତକାଲି ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ରାଜନୈତିକ ଖୋରାକ ଯୋଗାଇଥିଲା। ସେ କହିଥିଲେ ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି, ବିଜେଡି ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି ମନମୋହନ ସାମଲ କହିଥିଲେ।

ଏହା ପରେ ବିଜେପି ରାଜ୍ୟ ସଭାପତିଙ୍କୁ ବିଧାୟକ ବଦ୍ରି ପାତ୍ର ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବକି। ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ କାହାର ନାହିଁ ବୋଲି ବିଧାୟକ ବଦ୍ରି ପାତ୍ର କହିଛନ୍ତି।

Leave A Reply

Your email address will not be published.