Odisha Link
Bridging the Missing Links in Odisha

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଜାରି

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ରାଷ୍ଟ୍ରଦୂତଙ୍କ ଆଗରେ ରାଜ୍ୟର କଳା, ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଶାଢ଼ୀ, ପଥର କଳା, ଆଦିବାସୀ ସଂସ୍କୃତି, ପଟ୍ଟଚିତ୍ର, ହ୍ୟାଣ୍ଡଲୁମ୍‌, ଫିଲିଗ୍ରି, କୋରାପୁଟ୍ କଫି ପ୍ରଦର୍ଶିତ ହୋଇଛି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା। ଏହି ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଓଡ଼ିଶାରେ ପୁ୍ଞ୍ଜି ବିନିଯୋଗ ସୁଯୋଗ ନେଇ ଆଲୋଚନା ଜାରି ରହିଛି।

ସୂଚନା ଅନୁସାରେ, ଦୁଇ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି। ଏହି ଗସ୍ତ ସମୟରେ ଦେଶ ବିଦେଶର ଉଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବି। ପୁଞ୍ଜିନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବି। ଏହାସହ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡିଶା ଆସିବା ପାଇଁ ନିବେଦନ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ସମ୍ମିଳନୀରେ ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ। ଓଡ଼ିଶାରେ ପୁଞ୍ଜିଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ସେ ଅବଗତ କରାଇବି। ଆଗାମୀ ୫ ବର୍ଷରେ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମର ଲକ୍ଷ୍ୟ। ଗତ ୧୦୦ ଦିନରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସି ସାରିଛି। ତେବେ ଏହି ସମ୍ମିଳନୀରେ ମୋ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ।

Leave A Reply

Your email address will not be published.