ଆସନ୍ତା ୬ରୁ ହବିଷ୍ୟାଳି ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ ଆବେଦନ
ଓଏଲ୍ ବ୍ୟୁରୋ: କାର୍ତ୍ତିକ ମାସ ହେଉଛି ଧାର୍ମିକ ମାସ। କାର୍ତ୍ତିକ ମାସ ବ୍ରତ ପାଳନ ଦ୍ୱାରା ପୁଣ୍ୟ ଅର୍ଜିତ ହୁଏ ବୋଲି ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ବିଶ୍ୱାସ ରହିଛି। କାର୍ତ୍ତିକ ମାସ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅନେକ ହବିଷ୍ୟାଳି ମା’ ମାନେ ଏକାଠି ହୋଇଥା’ନ୍ତି। ହବିଷ୍ୟାଳି ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ଚଳିତ ବର୍ଷ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି।
ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ। ଏଥିପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ହବିଷ୍ୟାଳିମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରିଛନ୍ତି। ଏନେଇ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଅନ୍ୟପଟେ, ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି, ଆସନ୍ତା ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜୀକରଣ ହବିଷ୍ୟାଳି କରିପାରିବେ। http://edistrict.odisha.gov.in ଶାରିରୀକ ଓ ମାନସିକ ଭାବେ ସୁସ୍ଥ ହବିଷ୍ୟାଳିଙ୍କୁ ଶିବିରରେ ରଖାଯିବ। ନୂତନ ପଞ୍ଜୀକରଣ କରୁଥିବା ହବିଷ୍ୟାଳିଙ୍କୁ ଦିଆଯିବ ପ୍ରାଥମିକତା। ୪ଟି ଶିବିରରେ ପଞ୍ଜୀକରଣ କରିଥିବା ହବିଷ୍ୟାଳି ରହିବେ।