ହରିୟାଣା ନିର୍ବାଚନ: ସରିଲା ପ୍ରଚାର, କାଲି ପଡ଼ିବ ଭୋଟ
ଓଏଲ୍ ବ୍ୟୁରୋ: ହରିୟାଣାରେ ସରିଲା ବିଧାନସଭା ନିର୍ବାଚନ ପ୍ରଚାର। ଆସନ୍ତାକାଲି ହେବ ଭୋଟ ଗ୍ରହଣ। ନିର୍ବାଚନୀ ବୈତରଣୀ ପାର୍ ହେବାକୁ ନେତାମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଅକ୍ଟୋବର ୫ ତାରିଖରେ ୯୦ ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ୬୭ ଜଣ ବିଧାୟକ ମଇଦାନରେ ଅଛନ୍ତି। ୯୦ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧ହଜାର ୨୮ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୧୩୩ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ୫୩୮ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି।
୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି। ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-ଜେଜେପି ଓ ଆଜାଦ ସମାଜ ପାର୍ଟି-ଏଏସପି ମଧ୍ୟରେ ମେଣ୍ଟ ହୋଇଛି। ୨୦୧୯ରେ ବିଜେପି ଓ ଜେଜେପି ମିଶି କରିଥିଲେ ସରକାର ଏବଂ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ବର୍ତ୍ତମାନ କାହାକୁ ଭୋଟର ଭରସା କରିବେ ତାହା ଦେଖିବାକୁ ବାକି ରହିଲା।