ରାଜ୍ୟ ରାଜନୀତିରେ ରାଜଭବନ ଝଡ଼, ଜବାବ ରଖିଲେ ମନମୋହନ
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ରାଜଭବନ ଝଡ। ରାଜଭବନ ଝାଡ଼ଖଣ୍ଡ ୱାର୍ରୁମ୍ ସାଜିଥିବା ବିରୋଧୀ କହିବା ପରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଯାଇ ରାଜନୀତି ହେଉ। ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି, ରାଜଭବନକୁ ଟଣା ନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ସୂଚନା ଅନୁସାରେ, ଗତକାଲି ଶଙ୍ଖ ଭବନରେ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସିଧାସଳଖ ଟାର୍ଗେଟ କରାଯାଇଥିଲା। ବିଜେଡି ନେତା କହିଥିଲେ, ରାଜ୍ୟପାଳଙ୍କ ପୁଅ ଏସଏଓଙ୍କୁ ମାଡ଼ ମାଡ଼ିବା ଘଟଣା ଏତେଦିନ ବିତି ଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାସହ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ରାଜ୍ୟପାଳ ରଘୁବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ବାହାର ନେତାମାନେ ବ୍ୟକ୍ତିଗତ କାମରେ ଆସି ରାଜଭବନରେ ରହୁଛନ୍ତି। ରାଜନୀତିରୁ ବହୁ ଉର୍ଦ୍ଧ୍ଵରେ ରାଜ୍ୟପାଳ ଓ ରାଜଭବନ। ରାଜଭବନ ଏବେ ରାଜନୈତିକ ଆଡ୍ଡାସ୍ଥଳୀ ପାଲଟିଛି।