ଗରିବଙ୍କୁ ମିଳିବ ମାଗଣା ୪ ଡିସିମିଲ ଜମି

ଓଏଲ୍ ବ୍ୟୁରୋ: ଗରିବ ଲୋକଙ୍କୁ ମିଳିବ ୪ ଡିସିମିଲ ମାଗଣା ଜମି। ଏନେଇ ଆଜି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗରିବ ଲୋକଙ୍କୁ ୪ ଡିସିମିଲ ଜମି ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ଅଟେ।ଏଥିପାଇଁ ବର୍ତ୍ତମାନ ସର୍ଭେ କାମ ଚାଲିଥିବା ବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ଗରିବ ଲୋକ କିଭଳି ଜମି ପାଇବେ। ଗୋଟେ ପଟେ ହଜାର ହଜାର ଏକର ଜମି ସମ୍ପନ୍ନ ଲୋକଙ୍କ ପାଖରେ ଅଛି। ଅନ୍ୟପଟେ ଗରିବ ଲୋକ ୪ ଡିସିମିଲ ଘର ପାଇଁ ଜାଗା ପାଉନାହିଁ। ରାଜ୍ୟରେ ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଲାଣି। ଯେଉଁ ଲୋକ ସାଧାରଣ ଜମି ସହ ଜଙ୍ଗଲ ଜମିକୁ ମଧ୍ୟ ଜବର ଦଖଲ କରି ରଖିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କ ନିକଟରୁ ଜବର ଦଖଲ ମୁକ୍ତ ହେବ। ସେଇ ଜମିକୁ ଆଣି ଗରିବ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ଯେଉଁ ଯେଉଁ ଜାଗା ଗରିବ ଲୋକଙ୍କ ଦଖଲରେ ଅଛି ଏବଂ ତାହା ଯଦି ଆପତ୍ତି ଜନକ ହୋଇନଥିବ। ସେଇ ଜାଗାରେ ହିଁ ଉକ୍ତ ଲୋକକୁ ସରକାର ୪ ଡିସିମିଲ ଜମି ପ୍ରଦାନ ସରକାର କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।