ତିରୁପତି ଲଡୁ ବିବାଦ: ତଦନ୍ତ ପାଇଁ ଗଠନ ହେବ ସ୍ୱତନ୍ତ୍ର ଏସ୍ଆଇଟି
ଓଏଲ୍ ବ୍ୟୁରୋ: ସୁପ୍ରିମକୋର୍ଟରେ ତିରୁପତି ଲଡ଼ୁ ବିବାଦ ମାମଲା। ନୂଆ ଏସ୍ଆଇଟି ଟିମ୍ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ସରକାରଙ୍କ ଦ୍ବାରା ଗଠିତ ଏସ୍ଆଇଟି ବଦଳରେ ନୂଆ ଏସ୍ଆଇଟି କରିବ ତଦନ୍ତ। ତେବେ ଏହି ଏସ୍ଆଇଟି ତଦନ୍ତର ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ।
ସୂଚନା ଅନୁସାରେ, ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ ତିରୁପତି ମନ୍ଦିରର ଲଡ଼ୁର ଶୁଦ୍ଧତାକୁ ନେଇ ହୋଇଥିବା ମାମଲାର ଶୁଣାଣି ଚାଲିଥିଲା। ଜଷ୍ଟିସ ଗଭଇ ଏହି ନିର୍ଦ୍ଦେଶ ଦେବାବେଳେ କହିଛନ୍ତି, ଆମେ ଏହି ଆଦେଶ ଦେଉଛୁ। ଦେବତାଙ୍କ ଉପରେ ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ଆମେ ଏସଆଇଟିକୁ ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଉଛୁ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରସାଦରେ ଚର୍ବି ମିଶିବା ଅଭିଯୋଗ ସମଗ୍ର ବିଶ୍ୱରେ ଭକ୍ତଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି। ଆମେ ଚାହୁଁନାହୁଁ ଏହି ବିଷୟ ଏକ ରାଜନୈତିକ ଡ୍ରାମା ହେଉ। ଯଦି ଏକ ସ୍ବାଧୀନ ଅନୁଷ୍ଠାନ ଏହି ଘଟଣାର ଅନୁସନ୍ଧାନ କରେ, ତେବେ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।