ହରିଆଣା ବିଧାନସଭା ନିର୍ବାଚନ: ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଓଏଲ୍ ବ୍ୟୁରୋ: ନେତା ବାଛୁଛନ୍ତି ହରିଆଣାବାସୀ। ୯୦ଟିତ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି। ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟିଂ ରେକର୍ଡ କରିବା ପାଇଁ ହରିଆଣାବାସୀଙ୍କୁ ଅପିଲ କରିଛନ୍ତି। ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।’
ଚଳିତଥର ହରିଆଣାରେ ୨୦, ୬୩୨ ବୁଥ ହୋଇଛି। ୯୦ ବିଧାନସଭା ଆସନରେ ପ୍ରାୟ ୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ମଦଦାନ ବେଳେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ, ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିଛନ୍ତି, ୩୦ହଜାର ପୋଲିସ ଫୋର୍ସ। ସେହିପରି ୨୨୫ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି।
ହରିଆଣାରେ ମୁଖ୍ୟତଃ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି। ଏବେ କ୍ଷମତାରେ ଥିବା ବିଜେପି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିବା ଆଶାରେ ରହିଛି। କଂଗ୍ରେସ ସରକାର ବିରୋଧୀ ଭାବନାକୁ ପୁଞ୍ଜି କରିବାକୁ ଚେଷ୍ଟା କରିଛି। ରାଜ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍), ଜନନାୟକ ଜନତା ପାର୍ଟି(ଜେଜେପି), ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲ୍ଡି)ର ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଥର ମୋଟ ୧,୦୩୧ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲଡ୍ୱା, ଜୁଲାନା, ଗର୍ହି ସାମ୍ପଲା-କିଲୋଇ, ଉଚାନା, ଗୁରଗାଓଁ, ଏଲିନାବାଦ, ରେୱାରି ଆଦି ଆସନରେ ପ୍ରମୁଖ ବ୍ୟକ୍ତିବିଶେଷ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସୈନି ଲଡ୍ୱା ଆସନରୁ ଲଢ଼ୁଛନ୍ତି। ଅକ୍ଟୋବର ୮ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।