କନ୍ଧମାଳ: ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ପରେ ଲାଗି ରହିଛି ଉତ୍ତେଜନା। ଏହି ଘଟଣାକୁ ସପ୍ତାହେ ବିତି ସାରିଥିବା ସତ୍ତ୍ବେ ସୁଧୁରୁନି ସ୍ଥିତି। ସ୍ଥାନୀୟ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକ ସନ୍ତୁଷ୍ଟ ନଥିବାରୁ ଏବେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି।
ଗତ ୨୮ ତାରିଖରେ ଘାଟି ତଳୁ ମିଳିଥିଲା ଜ୍ୟୋଷ୍ଠ ବଣ୍ଡକି ନାମକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ପ୍ରଥମେ ଗାଡ଼ି ଧକ୍କା ଦେବା ପରେ ପିଟିପିଟି ମାରି ଘାଟି ତଳକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ଏବେ ଏହି ମାମଲାର ତଦନ୍ତ କରିବେ ଡିଏସପି ରଜତ କୁମାର ରାୟ। ପୂର୍ବରୁ ଏହି ଘଟଣାର ତଦନ୍ତ କରି ୫ ପୁଲିସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ ଗୋଛାପଡ଼ା ଥାନାର ଏସ୍ଆଇ ଓ ହାବିଲଦାର ନିଲମ୍ବିତ ହୋଇଥିବା ବେଳେ ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏହାପରେ ବି ପରିବାର ଲୋକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଥମୁନି।