Odisha Link
Bridging the Missing Links in Odisha

ଓଡ଼ିଶା: ରାଜ୍ୟପାଳ,ରାଜଭବନ ଓ ରାଜନୀତିରେ ପୂର୍ବତନ ଉପରାଷ୍ଟ୍ରପତି ଉଠାଇଲେ ଆପତ୍ତି

ଓଏଲ‌ ବ୍ୟୁରୋ: ଓଡ଼ିଶାରେ ‘ଆରଆରଆର’। ଅର୍ଥାତ୍‌ ରାଜଭବନ, ରାଜ୍ୟପାଳଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ଓଡ଼ିଶା ରାଜଭବନରୁ ବାହାରି ଏବେ ଦିଲ୍ଲୀ ଦରବାରରେ ପହଁଞ୍ଚିଲାଣି ରାଜଭବନ ରାଜନୀତି। ଓଡ଼ିଶା ରାଜଭବନ ଝାଡଖଣ୍ଡ ନିର୍ବାଚନ ପାଇଁ ୱାରରୁମ ପାଲଟିଛି କି ବୋଲି ବିରୋଧୀ ପ୍ରଶ୍ନ କରିବା ପରେ ତେଜିଛି ରାଜନୀତି। ରାଜଭବନକୁ ବିଜେପି ନେତାଙ୍କ ଗସ୍ତକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ହେଲେ ବିଜେପି କହିଛି ରାଜନୀତି କରିବା ପାଇଁ ପୁରା ଓଡ଼ିଶା ମୈଦାନ ଖାଲି ପଡ଼ିଛି। ତେଣୁ ବିରୋଧୀ ରାଜଭବନକୁ ରାଜନୀତିରୁ ବାଦ ଦିଅନ୍ତୁ। ଏସବୁ ମଧ୍ୟରେ ମୁହଁ ଖୋଲିଛନ୍ତି ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।

ବିଜେଡି କରିଥିବା ଅଭିଯୋଗ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏନେଇ ତାଙ୍କ କାର୍ଯ୍ୟାଳୟ କଡ଼ା ଜବାବ ଦେବା ସହ ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ସୌଜନ୍ୟ ମୂଳକ ସାକ୍ଷାତକୁ ରାଜନୈତିକ ରଙ୍ଗ ନ ଦେବାକୁ ପରାମର୍ଶ ଦିଆଯାଇଛି।

‘ଏକ୍ସ’ରେ ଉପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜନୈତିକ ରଙ୍ଗ ଦିଆ ନ ଯାଉ। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ରାଜଭବନରେ ରୁହନ୍ତି। ରାଜ୍ୟପାଳ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସୌଜନ୍ୟମୂଳକ ଭାବରେ ଭେଟିବାର ପରମ୍ପରା ରହିଛି।

ଏକ୍ସରେ ଆହୁରି କୁହାଯାଇଛି ଯେ ସୌଜନ୍ୟମୂଳକ ସାକ୍ଷାତରେ କୌଣସି ରାଜନୀତି ବିଷୟରେ ଆଲୋଚନା ହୋଇ ନାହିଁ। ସୌଜନ୍ୟମୂଳକ ସାକ୍ଷାତ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖାଯିବା ଉଚିତ ନୁହେଁ। ଦେଶର ପୂର୍ବତନ ଉପରାଷ୍ଟ୍ରପତିଙ୍କକୁ ଏଭଳି ରାଜନୈତିକ ବିବାଦ ଭିତରକୁ ଟାଣି ନେବା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାଥାଉକି, ସେପ୍ଟେମ୍ବର ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପୂର୍ବତନ ଉପ ରାଷ୍ଟ୍ରପତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିଧାସଖଳ ରାଜଭବନ ଯାଇଥିଲେ। ସନ୍ଧ୍ୟାରେ ଏସିଆନ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ହୋଇଥିଲେ। ସମାରୋହରୁ ଫେରି ପୂର୍ବତନ ଉପ ରାଷ୍ଟ୍ରପତି ରାଜ ଭବନରେ ରାତ୍ରି ଯାପନ କରିଥିଲେ। ତା’ପର ଦିନ ସେ ଦିଲ୍ଲୀ ଫେରିଯାଇଥିଲେ।

Leave A Reply

Your email address will not be published.