Odisha Link
Bridging the Missing Links in Odisha

ଆଜି ଦିଲ୍ଲୀରେ ମାଓ ମୁକାବିଲା ବୈଠକ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ଦିଲ୍ଲୀରେ ମାଓ ମୁକାବିଲା ବୈଠକ ବସିବ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୋହନ ମାଝୀ ଆଜି ବୈଠକରେ ସାମିଲ ହେବେ। ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେବେ।

ସେହିଭଳି ଅତିରିକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା କାର୍ଯ୍ୟକ୍ରମ ରହିଛି।

ଏହି ବୈଠକ ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି। ଛତିଶଗଡରେ ସୁରକ୍ଷା ବାହିନୀ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହେବା ଘଟଣାକୁ ନେଇ ଶାହ ଏହି ଅପରେସନରେ ସାମିଲ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.