ଶ୍ରୀକ୍ଷେତ୍ରରେ ପାର୍ବଣର ସ୍ୱତନ୍ତ୍ର ପର୍ବ ନେତପିଲା, ପାରମ୍ପରିକ ବେଶରେ କୁମାରୀ କନ୍ୟା

ଓଏଲ୍ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପାର୍ବଣର ବିଭିନ୍ନ ନୀତିକାନ୍ତି ଆଡମ୍ବରରେ ପାଳନ କରାଯାଉଛି। ଏସବୁ ଭିତରେ ସେବାୟତ ସମ୍ପ୍ରଦାୟରେ ଏକ ବିଶେଷ ପର୍ବ ନେତପିଲା ଦେଖିବାକୁ ମିଳିଛି। ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କଣ୍ଡେୟ ପୁଷ୍କରଣୀକୁ ଆସି ହରପାର୍ବତୀଙ୍କୁ ଏହି ସମୟରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି।
ବିଶ୍ୱାସ ରହିଛି, ଉତ୍ତମ ବର ପ୍ରାପ୍ତି ଉଦେଶ୍ୟରେ ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁମାରୀ କନ୍ୟା ମାନେ ୨୧ଦିନ ଧରି ବଳି ପୂଜାର ବ୍ରତ ପାଳନ କରିଥାନ୍ତି। ଆଉ ପରମ୍ପରା ଅନୁସାରେ ବ୍ରତର ଅନ୍ତିମ ଚାରିଦିନ ଅର୍ଥାତ ଦୁର୍ଗା ପୂଜାର ପଞ୍ଚମୀ, ଷଷ୍ଠୀ ,ସପ୍ତମୀ ଓ ଅଷ୍ଟମୀ ତିଥିରେ ସ୍ୱତନ୍ତ୍ର ଆଭୂଷଣ ଓ ପୋଷାକରେ ସଜ୍ଜିତ ହୋଇ ବଳି ଗୀତ ଗାନ ସହ ପୂଜା କରିଥାନ୍ତି।
ବିଭିନ୍ନ ପ୍ରକାରର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ଏହି ପୂଜା କରିବା ପରେ କୁଆଁରୀ କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ମଧ୍ୟ ବୁଲି ଯିବାର ବିଧି ରହିଆଛି। ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି।