Odisha Link
Bridging the Missing Links in Odisha

ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନା, ଖର୍ଚ୍ଚ ହେବ ୨୩୯ କୋଟି ଟଙ୍କା

ଓଏଲ୍‌ ବ୍ୟୁରୋ: ଜଳ ସଂରକ୍ଷଣକୁ ଗୁରୁତ୍ୱ। ରାଜ୍ୟରେ ସେଚ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟର ସବୁ ଜଳଭଣ୍ଡାର ଗୁଡ଼ିକରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍‌(ଫାଟକ) ଲଗାଇ ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ କରିବା ପାଇଁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରିବାକୁ ଯାଉଛନ୍ତି। ୨୦୨୪-୨୫ରୁ ୨୦୨୬-୨୭ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବା ନେଇ ବିଭାଗ ପକ୍ଷରୁ ଗତକାଲି ସଂକଳ୍ପ ପତ୍ର ପ୍ରକାଶ ପାଇଛି।

ସଂକଳ୍ପ ପତ୍ର ଅନୁଯାୟୀ, ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ଓ ସର୍ବାଧିକ ଜଳସ୍ତର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଜଳର ଅତିରିକ୍ତ ସଂରକ୍ଷଣ କରାଯାଇପାରିବ। ଯାହାକୁ ପାନୀୟ ଜଳ, ସେଚାଞ୍ଚଳର ସ୍ଥିରୀକରଣ, ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି ତଥା ଶିଳ୍ପ ଆବଶ୍ୟକତା ଇତ୍ୟାଦିରେ ବ୍ୟବହୃତ କରିହେବ। ଫାଟକ ସଂଯୋଗୀକରଣ ଯୋଜନା ଦ୍ୱାରା ମୋଟ ୧୯୦୯୭ ହେକ୍ଟର ସେଚାଞ୍ଚଳ ସ୍ଥିରୀକରଣ ହେବାସହିତ ୨୭୫୦ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇପାରିବ।

ଏହି ଯୋଜନା ମାଧ୍ୟମରେ ୧୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୪୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପ୍ରାୟତଃ ୧୨୪ ମିଲିୟନ କ୍ୟୁବିକ୍ ମିଟରର ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରାଯିବା ସହ ୧୯୦୯୭ ହେକ୍ଟର ସେଚାଞ୍ଚଳ ସ୍ଥିରୀକରଣ ଓ ୨୭୫୦ ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇପାରିବ। ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣ ଦ୍ୱାରା ଜଳାଭାବ ଦୂର ହେବା ସହିତ ଜଳର ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ ହେବ। ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରୁ ଜଳସମ୍ପଦ ବିଭାଗର ଯୋଜନା ପାଣ୍ଠି ମାଧ୍ୟମରେ ୨୦୨୪-୨୫ରୁ ୨୦୨୬-୨୭ରୁ ଏହି ୨୩୯.୬୦କୋଟି ଖର୍ଚ୍ଚ କରାଯିବ ।

Leave A Reply

Your email address will not be published.