Odisha Link
Bridging the Missing Links in Odisha

ଯାହା ପ୍ରତିଶ୍ରୁତି ଦେଲୁ, ତାକୁ ଅକ୍ଷରେ ଅକ୍ଷରେ ପାଳନ କଲୁ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ସିଧାସଳଖ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଛି। ବାରିପଦାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ‘ସୁଭଦ୍ରା’ ସମାବେଶ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରିଛନ୍ତି। ୧୭୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିଛି।

ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଗଲା। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା। ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ। ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ସହାୟତା ଦିଆଗଲା। ୨ ପର୍ଯ୍ୟାୟରେ ମୋଟ ୩ ହଜାର କୋଟି ଟଙ୍କାର ସହାୟତା ଦିଆଗଲାଣି।

ବାରିପଦା ସଭାରେ ପୂର୍ବତନ ନବୀନ ସରକାରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା। ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ। ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର। ଆମ ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଡବଲ ଇଂଜିନ ସରକାରକୁ ଆପଣ ସଫଳ କରିଛନ୍ତି।

ଅନ୍ୟପଟେ, ବାରିପଦା ଛଉ ପଡ଼ିଆ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଗଲା। ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଚାଲିଯିବ। ଗୋଟିଏ ଯୋଜନାରେ ୨ ମାସରେ କୋଟିଏ ମହିଳା କେବେ ଯୋଡ଼ି ହୋଇନଥିଲେ। ୧ କୋଟି ମହିଳା ଗୋଟିଏ ଯୋଜନାରେ ଯୋଡ଼ିହେବା ଏକ ରେକର୍ଡ। ଏଯାବତ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି। ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି।

ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖ ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି। ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପାଇନଥିବା ମହିଳାଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.