Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ପ୍ରସ୍ତୁତ, ରାତି ୪ଟାରେ ଫିଟିବ ଜଗାର ଦ୍ୱାର

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଅର୍ଥାତ୍ ଅକ୍ଟୋବର ୧୪ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳଧୂପ ନୀତି। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପରେ ପଞ୍ଚୁକ ଚାଲିବ। ତେବେ ଚଳିତବର୍ଷ ପଞ୍ଚୁକ ୪ ଦିନ ପଡିଅଛି। ଫଳରେ ଏଥର ପଂଚୁକ ସମୟରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ରାତ୍ର ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ। ସେହିପରି ପଞ୍ଚୁକକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିବାବେଳେ ଏହାର ତାରିଖ ନିର୍ଘଣ୍ଟ ହୋଇଛି। ନଭେମ୍ବର ୧୨ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍‌ଥାପନ ନୀତି ରହିଅଛି। ସେହିପରି ୧୩ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳ ଏହିଦିନ ଗରୁଡ଼ ଉତ୍‌ଥାପନ ନୀତି ମଧ୍ୟ ପଡିଛି। ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ରହିଥିବା ବେଳେ ଏହା ପରଦିନ ଅର୍ଥାତ୍ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ହେବା କଥା।

ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି। ତେଣୁ ଏଥର ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ପଞ୍ଚକର ଶେଷ ଦିନ ଅର୍ଥାତ୍ ନଭେମ୍ବର ୧୫ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ତେଣୁ ନଭେମ୍ବର ୪ ଓ ୧୧ତାରିଖ ଅବକାଶ ନୀତି ପରେ ଏହି ହରିହର ବେଶ ଅନୁଷ୍ଠିତ ହେବ।

ତେବେ ଏହି ସ୍ୱତନ୍ତ୍ର ନୀତିକାନ୍ତି କିପରି ସୁରୁଖୁରରେ ସମ୍ପନ୍ନ ହେବ ସେ ନେଇ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ଏଥିରେ ନୀତି ସବ୍ କମିଟି ଦ୍ୱାରା ପ୍ରସ୍ତୁତ ନୀତିକାନ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ହୋଇଛି। ଏତଦ୍‌ବ୍ୟତୀତ ଭକ୍ତ ଏବଂ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ବାଳଭୋଗ, ଠିକ୍ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.