ଆଜିଠୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଓଏଲ୍ ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଆଗାମୀ କାର୍ତିକ ମାସ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୁଏ ରାଧା ଦାମୋଦର ବେଶ। ଏଥିସହ ଆଜିଠାରୁ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ବାଳଭୋଗ ନୀତି। ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ ଦର୍ଶନ ଓ ବାଳଭୋଗ ପାଇବା ପାଇଁ ହବିଷ୍ୟାଳି ବ୍ରତ ପାଳନ କରିଥାନ୍ତି ବହୁ ଶ୍ରଦ୍ଧାଳୁ। ଏଣୁ ଆଜି ଠାରୁ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ହବିଷ ବ୍ରତ ପାଳନ ଆରମ୍ଭ କରୁଥିବା ଜଣାଯାଏ।
ଧର୍ମ ମାସ କାର୍ତିକ, କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ସତ୍ୱେ ଆଜିଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ଆରମ୍ଭ ହେଉଥିବା ହେତୁ ବହୁ ଭକ୍ତ ହବିଷ୍ୟ ବ୍ରତ ନେଇ ସଂକଳ୍ପ କରିଥିବା ନଜରକୁ ଆସିଅଛି। ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଛି। ଏକ ମାସ ଧରି ରାଧା ଦାମୋଦର ବେଶ ଦର୍ଶନ ସହ ଏହି ବ୍ରତ ପାଳନର ସ୍ୱତନ୍ତ୍ରତା ରହିଥିବା ହେତୁ ଅନେକ ଆଜି ଠାରୁ ବିଧି ଅନୁସାରେ ଶ୍ରୀକ୍ଷେତ୍ରରେ ବ୍ରତ ପାଳୁଛନ୍ତି। ପ୍ରତ୍ୟେହ ବଡି ଭୋରରୁ ସ୍ନାନ ଓ ପରେ ଶ୍ରୀଜିଉଙ୍କ ଦର୍ଶନ ସହ ଏକ ଭକ୍ତ ଭୋଜନ କରି ପୁଜାପାଠ ଓ ନାମ ସଂକୀର୍ତ୍ତନ ସହ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନ କରିବେ ବୋଲି ମତ ରଖିଛନ୍ତି।