ମେଲାଣି ନେବେ ମାଆ, ଦିନ ୩ଟାରୁ ଟ୍ରାଫିକ କଟକଣା ଜାରି

ଓଏଲ୍ ବ୍ୟୁରୋ: ମାଆଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା। ଭସାଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଆଙ୍କ ମେଲାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।
କୌଣସି ଯାନବାହନ ଭୁବନେଶ୍ବର ବାଣୀବିହାର ପଟୁ ରୂପାଲୀ ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। ସିଆରପି ପଟୁ କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ସିଆରପି ଛକରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ।
କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ। ସେହି ଗାଡ଼ିଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନ ଗୁଡ଼ିକ ଫାୟାର ଷ୍ଟେସନ୍ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ।
ସେହିଭଳି କଟକରେ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ। ସେହିଭଳି ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ। ଭୁବନେଶ୍ବରରେ ଆଜି ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ ଟ୍ରାଫିକ କଟକଣା ବଳବତ୍ତର ରହିବ।