‘ଶୃଙ୍ଖଳିତ ହେବ ଜଗା ଦର୍ଶନ, ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା’
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଥାନ୍ତି। ତେବେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନକୁ ଅଧିକ ସୁବିଧାଜନକ କରିବା ଲକ୍ଷ୍ୟରେ ଏକ ନକ୍ସା ପ୍ରସ୍ତୁତ କରାଯାଇଛି ବୋଲି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରଦ୍ଧାଳୁ ୭ ପାହାଚ ଦେଇ ସ୍ୱତନ୍ତ୍ର ରାମ୍ପ ଦ୍ୱାରା ଠାକୁରଙ୍କ ଦର୍ଶନ ଏବଂ ଘଣ୍ଟି ଦ୍ୱାର ଦେଇ ବାହାରକୁ ବାହାରିବା ନିମନ୍ତେ ଏହି ନକ୍ସାରେ ବ୍ୟବସ୍ଥା କରାଯାଇଛି। ନାଟମଣ୍ଡପଠାରୁ ୪ ଲେନ୍ ବିଶିଷ୍ଟ ସ୍ୱତନ୍ତ୍ର କାଠ ରାମ୍ପ ପ୍ରସ୍ତୁତ ପାଇଁ ବ୍ୟବସ୍ଥା ରହିଛି। ଆସନ୍ତା ମାର୍ଗଶୀର ମାସରୁ ବଡଦେଉଳ ନାଟମଣ୍ଡପଠାରୁ ସ୍ୱତନ୍ତ୍ର ରାମ୍ପରୁ ସୁବିଧାଜନକ ଭାବେ ଠାକୁରଙ୍କ ଦର୍ଶନ ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ଆଇନ୍ମନ୍ତ୍ରୀ ସୂଚନା ଦେଇଛନ୍ତି।