ଓଡ଼ିଆ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା: ଦିଲ୍ଲୀ ଗସ୍ତ କରିବେ ଆଇଜି

ଓଏଲ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ରାଜ୍ୟ ପୁଲିସ ଗୁରତର ସହ ନେଇଛି। ଏହି ଘଟଣାରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା(ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ) ଆଇଜି ଏସ. ସାଇନି ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ। ଏହା ସହ ସେ ସେଠାରେ ପୀଡିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବେ। ଏହା ବ୍ୟତୀତ ଦିଲ୍ଲୀ ପୁଲିସ ସହ ଉପଯୁକ୍ତ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୁଲିସ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗଣଦୁଷ୍କର୍ମର ଶିକାର ଯୁବତୀ ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି। ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥ ଇଷ୍ଟର ସରାଇକଲେ ଖାନ୍ ଫ୍ଲାଏଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ବର୍ଷେ ଧରି ଦିଲ୍ଲୀରେ ସେ ରହିଆସୁଥିଲେ। ହେଲେ ଗତ ମାସେ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ମାମଲା କରାଯାଇଥିଲା। ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି।