ବୃଦ୍ଧାଶ୍ରମ ବିବରଣୀ ମାଗିଲେ ସରକାର, ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ରାଜ୍ୟରେ ବହୁ ସଂଖ୍ୟାରେ ଘରୋଇ ବୃଦ୍ଧାଶ୍ରମ ଚାଲିଥିବା ବେଳେ ଏହାର ସବିଶେଷ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କାର୍ଯ୍ୟ କରୁଥିବା ଘରୋଇ ବୃଦ୍ଧାଶ୍ରମ ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ରାଜ୍ୟରେ ରହିଥିବା ବହୁ ଘରୋଇ ବୃଦ୍ଧାଶ୍ରମ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପରିଧି ଅର୍ନ୍ତଭୁକ୍ତ ନୁହଁନ୍ତି। ଫଳରେ ସେଗୁଡ଼ିକର ସମୀକ୍ଷା କରାଯାଇ ପାରୁନାହିଁ। ସେମାନଙ୍କୁ ସରକାରୀ ଅନୁଦାନ ଦିଆଯାଉ ନାହିଁ। ସେଥିପାଇଁ ବହୁ ଘରୋଇ ବୃଦ୍ଧାଶ୍ରମର ତଥ୍ୟ ସରକାରଙ୍କ ପାଖରେ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା ବାହାରେ ସେ ସବୁ ବୃଦ୍ଧାଶ୍ରମ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମ୍ପୃର୍ଣ୍ଣ ବିବରଣୀ ୭ ଦିନ ମଧ୍ୟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି।