Odisha Link
Bridging the Missing Links in Odisha

ବିଶ୍ୱ ଖାଦ୍ୟ ଦିବସ: ଉତ୍ତମ ଭବିଷ୍ୟତ ପାଇଁ ଖାଦ୍ୟର ରହିଛି ସ୍ୱତନ୍ତ୍ର ଭୂମିକା

ଓଏଲ୍‌ ବ୍ୟୁରୋ: ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ। ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନଟିକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରିବା ଲାଗି ଘୋଷଣା କରାଯାଇଛି।

ଖାଦ୍ୟ ଦିବସର ବାର୍ତ୍ତା..

ପ୍ରତିବର୍ଷ ବିଶ୍ୱ ଖାଦ୍ୟ ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୪ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ ଉତ୍ତମ ଜୀବନ ଏବଂ ଉତ୍ତମ ଭବିଷ୍ୟତ ପାଇଁ ଖାଦ୍ୟର ଅଧିକାର(ରାଇଟ ଟୁ ଫୁଡ ଫର ବେଟର ଲାଇଫ ଆଣ୍ଡ ଏ ବେଟର ଫିଉଚର )’।

ଖାଦ୍ୟ ଦିବସର ଇତିହାସ..

ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା। ହଙ୍ଗେରିଆନ କୃଷି ଏବଂ ଖାଦ୍ୟ ମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଖାଦ୍ୟ ଏବଂ କୃଷି ସଂଗଠନର ୨୦ତମ ସମ୍ମିଳନୀରେ ଏକ ସକ୍ରୀୟ ଭୂମିକା ଗ୍ରହଣ କରି ଏ ସଂକ୍ରାନ୍ତରେ ଏକ ବିଚାର ବ୍ୟକ୍ତ କରିଥିଲେ। ଏହା ଉକ୍ତ ସମ୍ମିଳନୀରେ ଗୃହୀତ ହେବା ପରେ ବିଶ୍ୱର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରୁଛନ୍ତି।

ଖାଦ୍ୟ ଦିବସର ମୂଳ ଲକ୍ଷ୍ୟ..

ଦାରିଦ୍ର୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ବିଶ୍ୱରୁ କ୍ଷୁଧା ଦୂର କରି ସଭିଁଙ୍କୁ ଆହାର ଯୋଗାଇବା ପାଇଁ ପ୍ରୟାସ କରିବା ପାଇଁ ବିଭିନ୍ନ ଯୋଜନା ଉପରେ ଏହି ଦିନ ବିଚାର ବିମର୍ଷ କରାଯାଇଥାଏ। ଏହାସହ ଲୋକଙ୍କୁ ଜାଗୃତ କରିବା। ବିଶ୍ୱ ଖାଦ୍ୟ ଦିବସ ୧୯୮୧ରେ ପ୍ରଥମ ଥର ପାଳନ କରାଯାଇଥିଲା। ପୃଥିବୀରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ନ ପାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥାଏ।

ଏହାସହ ଏଭଳି ମଧ୍ୟ ଅଧିକାଂଶ ସମୟରେ ଦେଖାଯାଇଥାଏ ଅନେକ ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳିଥାଏ, ମାତ୍ର ସେମାନେ ଖାଦ୍ୟ ଅଧା ଖାଇ ଫିଙ୍ଗିଥାନ୍ତି। ତେଣୁ କୁହାଯାଏ ଯେତିକି ଖାଦ୍ୟ ଖାଇବେ ସେତିକି ହିଁ ନେବା ଉଚିତ। ଖାଦ୍ୟ ଆଦୌ ନଷ୍ଟ କରିବା ଉଚିତ ନୁହେଁ। ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଲୋକଙ୍କୁ ଭୋକରୁ ରକ୍ଷା କରିବାକୁ ଏହି ଦିନ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

Leave A Reply

Your email address will not be published.