Odisha Link
Bridging the Missing Links in Odisha

ଦିଲ୍ଲୀ କ୍ୟାପିଟାଲ୍ସକୁ ମିିଳିଲା ଦେଶୀ କୋଚ୍, ଭେଣୁଗୋପାଳଙ୍କୁ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପୂର୍ବରୁ ଦୁଇ ପୂର୍ବତନ ଭାରତୀୟ ଖେଳାଳିଙ୍କୁ ଗୁରୁ ଦାୟିତ୍ବ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ। ପୂର୍ବତନ ଷ୍ଟାର ଖେଳାଳି ହେମଙ୍ଗ ବଦାନୀ ଓ ଭେଣୁଗୋପାଳ ରାଓଙ୍କୁ କୋଚିଂ ଷ୍ଟାଫ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ହେମଙ୍ଗ ବଦାନୀ। ସେହିପରି ଭେଣୁଗୋପାଳ ରାଓଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଛି। ରିଙ୍କି ପଣ୍ଟିଂଙ୍କ ସ୍ଥାନ ନେଲେ ହେମଙ୍ଗ ବଦାନୀ।

୪୭ ବର୍ଷିୟ ହେମଙ୍ଗ ବଦାନୀ ଭାରତ ପାଇଁ ୪ଟି ଟେଷ୍ଟ ଓ ୪୦ଟି ଦିନିକିଆ ଖେଳିଥିଲେ। ବିଭିନ୍ନ କ୍ରିକେଟ ଲିଗ୍‌ରେ ବଦାନୀ କୋଚ୍‌ ଭାବେ ପୂର୍ବରୁ ଦାୟିତ୍ବ ସମ୍ଭାଳିଛନ୍ତି। ୨୦୨୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦର ଫିଲ୍ଡିଂ କୋଚ୍‌ ଓ ବ୍ୟାଟିଂ କୋଚ୍‌ ଭାବେ ଦାୟିତ୍ବ ସମ୍ଭାଳିଥିଲେ ବଦାନୀ। ସେହିପରି ଲଙ୍କା ପ୍ରିମିୟର ଲିଗ୍‌ରେ ଜାଫନା କିଙ୍ଗସ୍‌ର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ତାଙ୍କ ନେତୃତ୍ବରେ ଦଳ ଦୁଇ ଥର ଲଙ୍କା ପ୍ରିମିୟର ଲିଗ୍‌ ଟ୍ରଫି ହାତେଇଥିଲା। ଦୁବାଇ କ୍ୟାପିଟାଲ୍ସର ମୁଖ୍ୟ କୋଚ ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି ବଦାନୀ।

୨୦୧୮ ମସିହାରେ ରିଙ୍କି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍‌ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଦିଲ୍ଲୀ ୨୦୨୦ ଆଇପିଏଲରେ ଉପବିଜେତା ସ୍ଥାନ ହାସଲ କରିଥିଲା। ୨୦୧୯ ଓ ୨୦୨୧ ମସିହାରେ ପ୍ଲେଅଫ୍‌ରେ ପହଁଞ୍ଚିଥିଲା ଦଳ। ପଣ୍ଟିଂ ଏବେ ପଞ୍ଜାବ କିଙ୍ଗସ୍‌ର ମୁଖ୍ୟ କୋଚ୍‌ ହୋଇଛନ୍ତି। ସେହିପରି ଭେଣୁଗୋପାଳ ରାଓ ଦିଲ୍ଲୀ କ୍ୟାପିଟାଲ୍ସରେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି।

Leave A Reply

Your email address will not be published.