Odisha Link
Bridging the Missing Links in Odisha

ନୂଆରୂପରେ ଭାରତୀୟ ନ୍ୟାୟ ଦେବୀ

ଓଏଲ୍‌ ବ୍ୟୁରୋ: ଭାରତରେ ବଦଳିଛି ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ରୂପରେଖ। ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ।

କୋର୍ଟରେ ଆଖିରେ କଳାପଟି ବାନ୍ଧିଥିବା ଯେଉଁ ନ୍ୟାୟଦେବୀଙ୍କ ମୂର୍ତ୍ତି ଆମେ ଦେଖୁଥିଲେ ଏଣିକି ଆଉ ଦେଖିବାକୁ ମିଳିବନି। ଏବେ ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା କଳା କପଡ଼ାକୁ ହଟାଇ ଦିଆଯାଇଛି। ସେହିପରି ହାତରେ ଖଣ୍ଡା ପରିବର୍ତ୍ତେ ଭାରତୀୟ ସମ୍ବିଧାନକୁ ରଖାଯାଇଛି। ସୁପ୍ରିମକୋର୍ଟରେ ବିଚାରପତିମାନଙ୍କ ପାଠାଗାରରେ ଏହାର ଉନ୍ମୋଚନ କରାଯାଇଛି।

ଭାରତ ନ୍ୟାୟପାଳିକା ଏବେ ବ୍ରିଟିଶ ଛାପକୁ ହଟାଇ ନୂଆ ରୂପରଙ୍ଗକୁ ଆପଣେଇବାକୁ ଯାଉଛି। ସେଥିପାଇଁ ବର୍ଷ ବର୍ଷ ଧରି କୋର୍ଟରେ କଳାପଟି ବାନ୍ଧିଥିବା ନ୍ୟାୟଦେବୀଙ୍କ ଆଖିରୁ ପଟି ଖୋଲି ଦିଆଯାଇଛି। ଆଇନ ଯେ ଅନ୍ଧ ନୁହେଁ ଏମିତି ଏକ ବାର୍ତ୍ତା ସାରା ଦେଶକୁ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରି ପରିବର୍ତ୍ତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା କରାଯାଇଛି।

“ଆଇନ କେତେବେଳେ ବି ଅନ୍ଧ ନ ଥିଲା। ଆଇନ ସମସ୍ତଙ୍କୁ ସମାନ ଭାବେ ଦେଖେ। ଖଣ୍ଡା ହେଉଛି ହିଂସାର ପ୍ରତୀକ। ନ୍ୟାୟାଳୟରେ ହିଂସାର ସ୍ଥାନ ନାହିଁ। ତେଣୁ ଖଣ୍ଡା ବଦଳରେ ନ୍ୟାୟ ଦେବୀଙ୍କ ହାତରେ ସମ୍ବିଧାନ ରହିବ, ଯାହାର ଅର୍ଥ ହେବ ସମ୍ବିଧାନ ଅନୁସାରେ ନ୍ୟାୟ ପ୍ରଦାନ କରାଯାଉଛି। ତେବେ ନୂଆ ମୂର୍ତ୍ତିରେ ବାମ ହାତରେ ସମ୍ବିଧାନ ଏବଂ ଡାହାଣ ହାତରେ ତରାଜୁ ରହିବ ଯାହା ସମାନତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଇଂରେଜମାନଙ୍କ ଛାପରୁ ବାହାରି ଆମକୁ ଆଗକୁ ଯିବାକୁ ପଡ଼ିବ” ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।

Leave A Reply

Your email address will not be published.