Odisha Link
Bridging the Missing Links in Odisha

୧୨ ଦୁର୍ନୀତିଖୋର ବାବୁଙ୍କ ଦସ୍ତାବିଜ୍‌ ଇଡିକୁ ଦେଲା ଭିଜିଲାନ୍‌ସ

ଓଏଲ୍‌ ବ୍ୟୁରୋ: କିଛିଦିନର ବିରତି ପରେ ପୁଣିଥରେ ଦୁର୍ନୀତିଖୋର ବାବୁଙ୍କ ମନରେ ଛନକା। ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିବା ପରେ ଭିଜିଲାନ୍ସ ଚଢ଼ାଉକୁ ଗୁରୁତ୍ବ ଦେଇଥିଲେ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତିଖୋର ବାବୁଙ୍କ ଘରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି। ଏସବୁ ମଧ୍ୟରେ ଦୁର୍ନୀତିଖୋର ସରକାରୀ ବାବୁଙ୍କ ନିଦ ହଜେଇବାକୁ ଆସିଛୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ପହଞ୍ଚିଛି। ଇଡି ସେସବୁ ମାମଲାର ଖୋଳତାଡ଼ କରିବ। ଏଥିପାଇଁ ଭିଜିଲାନ୍‌ସ ପକ୍ଷରୁ ସମସ୍ତ ଦସ୍ତାବିଜ ଇଡିକୁ ହସ୍ତାନ୍ତର ହୋଇସାରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ବାବୁମାନେ ଭିଜିଲାନ୍‌ସ ହାତରେ ଧରାପଡ଼ିବା ପରେ ଜେଲ୍‌ ହାଜତକୁ ଯାଇଥିଲେ। ଏବେ ଭିଜିଲାନ୍‌ସ କୋର୍ଟରେ ମାମଲା ଚାଲିଛି। ମାତ୍ର ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଅନୁମୋିତ କଳାଧନ ସମ୍ପର୍କିତ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ ଏହାକୁ ମଧ୍ୟ ଗୁରୁତ୍ବର ସହ ନେଇଥିଲେ। ଅଗଷ୍ଟ ୨୮ରେ କଟକରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍‌ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ ଉଠିଥିଲା।

ସେହି ବୈଠକରେ ତଦନ୍ତକାରୀ ଏଜେନ୍‌ସି ଦୁର୍ନୀତି ମାମଲାର ଅଧିକ ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ ସହ ସମନ୍ବୟ ରକ୍ଷା କରି ତଦନ୍ତ କରିବା ଉପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ପଶାୟତ ଗୁରୁତ୍ବାରୋପ କରିଥିଲେ। ତେଣୁ ଭିଜିଲାନ୍‌ସ ପକ୍ଷରୁ ଦିଆଯାଇଥିବା ୧୨ଦୁର୍ନୀତିଖୋର ସରକାରୀ ବାବୁଙ୍କ ମାମଲାରେ ଇଡି ଖୋଳତାଡ଼ କରିବ ବୋଲି ଧାର୍ଯ୍ୟ ହୋଇଥିଲା। ଖୁବ୍‌ ଶୀଘ୍ର ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ରେ ସେମାନଙ୍କୁ ସମନ କରାଯିବ ଏବଂ ସେତେବେଳେ ସେମାନଙ୍କ ନାଁ ସ୍ବତଃ ପ୍ରକାଶପାଇଯିବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ଏହି ଖବର ଜଣାପଡ଼ିବା ପରେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଥିବା ସରକାରୀବାବୁମାନଙ୍କ ଛାତିରେ ଛନକା ପଶିଛି। ଭିଜିଲାନ୍‌ସ ମାମଲା ସହିତ ସେମାନଙ୍କୁ ପୁଣି ଇଡି ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଖବର ଜଣାପଡ଼ିବା ପରେ ନିଲମ୍ବିତ ଏହି କୋଟିପତି ଅଧିକାରୀମାନଙ୍କ ନିଦ ହଜିଯାଇଛି।

Leave A Reply

Your email address will not be published.