ପୁରୀରେ ହବିଷ୍ୟାଳିଙ୍କ ଭିଡ଼, ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି। ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଥିଲେ ହବିଷ୍ୟାଳି। ହବିଷ୍ୟାଳିଙ୍କ ପାଇଁ ଅବ୍ୟବସ୍ଥାକୁ ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡି।
ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଧର୍ମମାସରେ ହବିଷ୍ୟାଳି ଶ୍ରୀମନ୍ଦିର ଆସନ୍ତି। ହବିଷ୍ୟାଳିଙ୍କ ପାଇଁ ସରକାର ଅବ୍ୟବସ୍ଥାକୁ କରିଛନ୍ତି। ଓଡ଼ିଆଙ୍କୁ ଅପମାନିତ କରିବା, ବିଜେପି ସରକାରର ନୀତି ହୋଇଯାଇଛି। ବିଜେପି ଶାସନରେ ସବୁଦିନେ ଓଡିଆ ଅସ୍ମିତାକୁ କୁଠାରଘାତ ମିଳୁଛି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଏସବୁ ଭିତରେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଧାରଣାସ୍ଥଳରେ ପହଂଚିଛନ୍ତି। ଧାରଣାସ୍ଥଳକୁ ଆସି ଘଣ୍ଟାଏ ଭିତରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ମାଆମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳିଙ୍କ ସ୍ଥାନରେ ରହିବେ। ସ୍ଥାନାଭାବ ହେଲେ ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିସାରିଛି ବୋଲି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।
ସୂଚନା ଅନୁସାରେ, ଚଳିତବର୍ଷ ପୁରୀରେ ହବିଷ୍ୟାଳିଙ୍କ ରହଣି ପାଇଁ ସରକାରଙ୍କ ତରଫରୁ ଅନଲାଇନ ଆବେଦନ ପାଇଁ କୁହାଯାଇଥିଲା। କିଛି ହବିଷ୍ୟାଳି ଅନଲାଇନରେ ଆବେଦନ କରିଛନ୍ତି ମାତ୍ର ସେମାନଙ୍କ ନାଁ ପଞ୍ଜିକରଣ ହୋଇ ନାହିଁ। ଫଳରେ ସେମାନଙ୍କୁ ରହିବାକୁ ଅନୁମତି ମିଳି ନାହିଁ। ତେଣୁ ସେମାନେ ବୃନ୍ଦାବତୀ ନିବାସ ଆଗରେ ବସି ରହିଛନ୍ତି। ପୁରୀ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ସେଠାରେ ପହଁଚି ବୁଝାସୁଝା କରୁଛନ୍ତି। ଅନଲାଇନରେ ପଞ୍ଜିକରଣ କରିଥିବା ବ୍ରତଧାରୀଙ୍କୁ ପ୍ରଥମେ ରହିବାକୁ ଅନୁମତି ପ୍ରଦାନ କରାଯିବ। ବଳକା ରହିଲେ ଅଣ ପଞ୍ଜିକୃତଙ୍କୁ ରହିବାକୁ ଅନୁମତି ମିଳିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।
ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଛି। ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।
ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯାଇଛି। ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ।ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି।