Odisha Link
Bridging the Missing Links in Odisha

ହବିଷ୍ୟାଳି ପ୍ରସଙ୍ଗ: ବିରୋଧୀଙ୍କୁ ମନ୍ତ୍ରୀଙ୍କ କଡ଼ା ଜବାବ

ଓଏଲ୍‌ ବ୍ୟୁରୋ: କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନଥିଲା। ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଥିଲେ ହବିଷ୍ୟାଳି। ହବିଷ୍ୟାଳିଙ୍କ ପାଇଁ ଅବ୍ୟବସ୍ଥାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲା ବିଜେଡି। ଯାହାର କଡା ଜବାବ ଦେଇଛନ୍ତି ମନ୍ତ୍ରୀ।

ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ହବିଷ୍ୟାଳିମାନଙ୍କ ଲାଗି ଦୀର୍ଘ ଦିନ ପୂର୍ବରୁ ପଞ୍ଜୀକରଣ ସରିଛି। ସେମାନଙ୍କ ରହିବା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି। ହବିଷ୍ୟାଳିଙ୍କର କୌଣସି ଅସୁବିଧା ନ ହେଉ ଆମେ ଚେଷ୍ଟା କରୁଛୁ। ପଞ୍ଜୀକରଣ କରିଥିବା ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା ହୋଇଛି। ଏହାକୁ ରାଜନୈତିକ ପ୍ରସଙ୍ଗ କରିବା ଅନାବଶ୍ୟକ। ହବିଷ୍ୟାଳି ପ୍ରସଙ୍ଗରେ ବିରୋଧୀ ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଧର୍ମମାସରେ ହବିଷ୍ୟାଳି ଶ୍ରୀମନ୍ଦିର ଆସନ୍ତି। ହବିଷ୍ୟାଳିଙ୍କ ପାଇଁ ସରକାର ଅବ୍ୟବସ୍ଥାକୁ କରିଛନ୍ତି। ଓଡ଼ିଆଙ୍କୁ ଅପମାନିତ କରିବା, ବିଜେପି ସରକାରର ନୀତି ହୋଇଯାଇଛି। ବିଜେପି ଶାସନରେ ସବୁଦିନେ ଓଡିଆ ଅସ୍ମିତାକୁ କୁଠାରଘାତ ମିଳୁଛି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ।

Leave A Reply

Your email address will not be published.