ଦୀପାବଳି ପରେ ଓଡ଼ିଶା କଂଗ୍ରେସ ପାଇବ ନୂଆ ମୁଖିଆ
ଓଏଲ୍ ବ୍ୟୁରୋ: କିଏ ହେବ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ? ୩ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଷ୍ଟିୟରିଂ କମିଟି ଗଠନ କରି ଯେପରି କାମ ସାରି ଦେଇଛି ଏଆଇସିସି। ଯାହାର ପ୍ରଭାବ କଂଗ୍ରେସ ଭବନକୁ ଦେଖିଲେ ବାରି ହୋଇପଡୁଛି। ଖାଁ ଖାଁ କଂଗ୍ରେସ ଭବନ। ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ହେଉନଥିବାରୁ କର୍ମୀ ମଧ୍ୟ ପୂରା ସାଇଲେଣ୍ଟ। ଏସବୁ ଭିତରେ ପିସିସି ସଭାପତି ଚୟନ ନେଇ ମୁହଁ ଖୋଲିଛନ୍ତି ଓଡ଼ିଶା ପ୍ରଭାରୀ ଅଜୟ କୁମାର।
ପିସିସି ସଭାପତି ଚୟନ ପ୍ରସଙ୍ଗରେ ଅଜୟ କୁମାର କହିଛନ୍ତି, ପିସିସି ସଭାପତି ଚୟନ ନିମନ୍ତେ ୨ ବରିଷ୍ଠ ନେତା ମିନାକ୍ଷୀ ନଟରାଜନ ଓ ଚରଣଦାସ ମହାନ୍ତିଙ୍କୁ ଦାୟିତ୍ବ ମିଳିଛି। ସେମାନେ ଖୁବଶୀଘ୍ର ଓଡ଼ିଶା ଆସିବେ। ଦଳର ଶୀର୍ଷ ନେତୃତ୍ବଙ୍କୁ ଭେଟିବେ। ସାକ୍ଷାତକାର ସରିବା ପରେ ନେତାଙ୍କ ମତାମତ ନେବେ। ସେମାନେ ମତାମତ ଦେଲା ପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ନଭେମ୍ବର ମଝି ସୁଦ୍ଧା ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି ଅଜୟ କୁମାର।
ଅପରପକ୍ଷେ ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରିନଥିଲା। ଯେଉଁଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା ବ୍ୟକ୍ତ କରିଥିଲେ। ତେଣୁ ପିସିସି କମିଟିକୁ ଭାଙ୍ଗି ଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି। ଆଗାମୀ ସପ୍ତାହରେ ଆଲୋଚନା ପାଇଁ ଏଆଇସିସିରୁ ଦୁଇ ଜଣ ବରିଷ୍ଠ ସଦସ୍ୟ ଓଡ଼ିଶା ଗସ୍ତରେ ଆସିବେ।