ବିଜେଡି କନ୍ଦଳ: ସାମ୍ନାକୁ ଆସିଲେ ବିଧାୟକ ଶାରଦା, କହିଲେ ବଡ଼ କଥା
ଓଏଲ୍ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡି ବିଧାୟକ ଶାରଦା ନାୟକ।
ବିଜେଡିର ବରିଷ୍ଠ ନେତାଙ୍କ ଅସନ୍ତୋଷ ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଲେ ବିଧାୟକ ଶାରଦା ନାୟକ। ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି ବୋଲି ଶାରଦା କହିଛନ୍ତି। ସେ ଆହୁରି କହିଛନ୍ତି, ଅସନ୍ତୋଷ ସବୁଠି ଥାଏ। ଅସନ୍ତୋଷ ତିଆରି କରାଯାଇଥାଏ। ସବୁ ଦଳରେ ଅସନ୍ତୋଷ ଅଛି। କିନ୍ତୁ ଲୋକ ବିଜେଡି ସହ ଅଛନ୍ତି।
ସେ ଟ୍ରେନର ଉଦାହରଣ ଦେଇ କହିଛନ୍ତି ଟ୍ରେନ୍ ଯିବା ବେଳେ କିଛି ଲୋକ ଚଢ଼ନ୍ତି ଆଉ କିଛି ଓହ୍ଲାନ୍ତି। ସେମିତି ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲେଇ ଯିବା ସ୍ବଭାବିକ କଥା। ବ୍ୟକ୍ତିଗତ ଭାବେ କିଏ କେଉଁ ଦଳକୁ ଗଲା ତାକୁ ହିସାବ କରିବାଟା ଠିକ୍ ନୁହେଁ। ଆଜି ବି ଓଡିଶାବାସୀ ବିଜୁ ଜନତା ଦଳ ସହ ଅଛନ୍ତି। ବିଜେଡି ଭାଙ୍ଗିଯିବାର ବିଜେପି ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ନିଜକୁ ଖୁସି କରିବା ପାଇଁ। ସମୟ ବଡ଼ ବଳବାନ। ଦେଖନ୍ତୁ ଆଗକୁ କ’ଣ ହେଉଛି ବୋଲି ଶାରଦା କହିଛନ୍ତି।