Odisha Link
Bridging the Missing Links in Odisha

୭ମ ଶତକରୁ ବଞ୍ଚିତ ହେଲେ, ୭ମ ଥର ପାଇଁ ନର୍ଭସ ୯୦ରେ ଆଉଟ୍‌ ହେଲେ

ଓଏଲ୍‌ ବ୍ୟୁରୋ: ମାତ୍ର ୧ ରନ୍‌ ପାଇଁ ଟେଷ୍ଟ କ୍ୟାରିୟର ୭ମ ଶତକରୁ ବଞ୍ଚିତ ହେଲେ ଋଷଭ ପନ୍ତ। ବେଙ୍ଗାଲୁରୁରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ୩ୟ ଇନିଂସରେ ପନ୍ତ ୯୯ ରନର ଦମଦାର ପାରି ଖେଳିଛନ୍ତି। ଋଷଭ ୯୯ ରନ୍‌ରେ ଆଉଟ ହେବା ପରେ ପୁରା ଷ୍ଟାଡିୟମ ଶାନ୍ତ ପଡ଼ି ଯାଇଥିଲା। କାରଣ ଦମଦାର ଫର୍ମରେ ଥିବା ପନ୍ତ କ୍ୟାରିୟରର ୭ମ ଶତକ ପୂରଣ କରିବାରେ ସକ୍ଷମ ହୋଇ ପାରିନଥିଲେ। ଏଥିସହିତ ଧୋନିଙ୍କ ରେକର୍ଡ ଭାଙ୍ଗିବା ପାଇଁ ପନ୍ତଙ୍କ ପାଖରେ ସୁର୍ବର୍ଣ୍ଣ ସୁଯୋଗ ଥିଲେ ସୁଦ୍ଧା ହାତଛଡ଼ା କରିଛନ୍ତି।

ଭାରତର ଦ୍ବିତୀୟ ଇନିଂସରେ ପନ୍ତ ୯୯ ରନର ଇନିଂସ୍‌ ଖେଳିଛନ୍ତି। ଏଥିସହିତ ଟେଷ୍ଟ କ୍ୟାରିୟରରେ ୧୨ତମ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ପନ୍ତ। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟ କ୍ୟାରିୟରେ ୬ଟି ଶତକୀୟ ଇନିଂସ୍‌ ଖେଳିଥିଲେ। ଋଷଭ ପନ୍ତ ବି ଟେଷ୍ଟ କ୍ରିକେଟରେ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଭାବେ ୬ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି। ଆଜି ଶତକ ପୂରଣ କରିଥିଲେ ଧୋନିଙ୍କୁ ପଛରେ ପକାଇ ପନ୍ତ ଭାରତର ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ସର୍ବାଧିକ ଶତକ ହାସଲ କରିଥାନ୍ତେ।

ହତଭାଗା ପନ୍ତ:
ଋଷଭ ପନ୍ତ ତୃତୀୟ ଭାରତୀୟ ଖେଳାଳି ଭାବେ ସର୍ବାଧିକ ଥର ନର୍ଭସ ୯୦ର ଶିକାର ହୋଇଛନ୍ତି। ପ୍ରଥମରେ ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକର(୧୦) ଥିବାବେଳେ ଦ୍ବିତୀୟ ସ୍ଥାନରେ ରାହୁଲ ଦ୍ରାବିଡ(୦୯) ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଋଷଭ ପନ୍ତ (୭), ୪ର୍ଥରେ ସୁନୀଲ ଗାଭାସ୍କର (୫), ୫ମରେ ଏମ୍‌ ଏସ୍‌ ଧୋନି (୫) ଓ ୬ଷ୍ଠ ଓ୍ଥାନରେ ବୀରେନ୍ଦ୍ର ସେହଓ୍ବାଗ(୫) ରହିଛନ୍ତି।

ବିଶ୍ବ କ୍ରିକେଟର ୪ର୍ଥ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଭାବେ ଟେଷ୍ଟ କ୍ରିକେଟରେ ପନ୍ତ ୪ର୍ଥ ଖେଳାଳି ହୋଇଛନ୍ତି, ଯିଏକି ୯୯ ରନ୍‌ ସ୍କୋରରେ ଆଉଟ୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ବ୍ୟାଣ୍ଡନ ମ୍ୟାକୁଲମ୍‌ ୯୯ ରନ୍‌ରେ ଆଉଟ ହୋଇଥିଲେ। ୨୦୧୨ ମସିହାରେ ଇଂଲଣ୍ଡ ବିପକ୍ଷରେ ୯୯ ରନ୍‌ କରି ଆଉଟ୍‌ ହୋଇଥିଲେ ଭାରତର ମହେନ୍ଦ୍ର ସିଂ ଧୋନି। ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡର ଜୋନି ବେୟାରଷ୍ଟୋ ୨୦୧୭ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୯ ରନ୍‌ କରି ଆଉଟ୍‌ ହୋଇଥିଲେ।

Leave A Reply

Your email address will not be published.