ବାତ୍ୟା ପାଇଁ ସରକାର ସଜାଗ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଓଏଲ୍ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।
ବାତ୍ୟାକୁ ନଜରରେ ରଖି ଏସ୍ଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗତିପଥ ଉପରେ ତୀକ୍ଷଣ ନଜର ରଖୁଛି କଣ୍ଟ୍ରୋଲ ରୁମ। ସେପଟେ ବାତ୍ୟା ସ୍ଥିତି ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ। କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଫ ଓ ଓଡ୍ରାଫ ଟିମ ଯିବ ସେ ନେଇ ଯୋଜନା ଚାଲିଛି। ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ।
ଅନ୍ୟପଟେ, ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଥିବାବେଳେ ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି।
ସମ୍ଭାବ୍ୟ ବାତ୍ୟାର ଗତିପଥ ଚିତ୍ର ସାମ୍ନାକୁ ଆସିଛି। ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟାର ଗତିପଥ ଅନୁସାରେ, ୨୩ ତାରିଖ ବାତ୍ୟା ରୂପ ନେଇପାରେ ଅବପାତ। ୨୪ ତାରିଖ ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ। ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ(SCS)ରେ ପରିଣତ ହେବ। ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ବାତ୍ୟା ପ୍ରଭାବରେ ଆସନ୍ତା ୨୪ ତାରିଖରେ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ସେହିଭଳି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, କନ୍ଧମାଳ, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ନୟାଗଡ଼ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।