ସିଗାରେଟ୍ ପାଇଁ ଗୁପ୍ତାଙ୍ଗରେ ଢାଳିଦେଲେ ଗରମ ଚା’
ଓଏଲ୍ ବ୍ୟୁରୋ: ଦିନ ଥିଲା ରବିବାର। ସମୟ ସଂଜ ସାଢ଼େ ୫ ଟା। ଷ୍ଟାଣ୍ଡ ପାଖ ଦୋକାନାରେ ପ୍ରତିଦିନ ଭଳି ଲାଗି ରହିଥିଲା ଗହଳି। ଦୋକାନରେ ଠିଆ ହୋଇ ଜଣେ ଯୁବକ ସିଗାରେଟ୍ ଟାଣୁଥିଲେ। ଆଉ ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ତାଙ୍କୁ ସିଗାରେଟ୍ ମାଗିଥିଲେ। ହେଲେ ସେ ନେଦେବାରୁ ଗରମ ଚା’ ଢାଳିଦେଲେ ଯୁବକଙ୍କ ଉପରକୁ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ନିକଟସ୍ଥ ଧଉଳି ବସ୍ ଷ୍ଟାଣ୍ଡ ପରିସରରେ। ଏବେ ଏହି ମାମଲା ଥାନାରେ ପହଁଞ୍ଚିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ରବିବାର ସଂଜ ସାଢ଼େ ୫ଟା ସମୟରେ ଧଉଳି କାଣ୍ଡିସାହିର ସନ୍ତୋଷ କାଣ୍ଡି ନାମକ ଜଣେ ଯୁବକ ଦୋକାନରେ ସିଗାରେଟ ଟାଣୁଥିଲେ। ସେହି ସମୟରେ ଚିଣ୍ଟୁ ନାମକ ଜଣେ ଯୁବକ ଦୋକାନରେ ପହଞ୍ଚି ସନ୍ତୋଷଙ୍କୁ ସିଗାରେଟ୍ ମାଗିଥିଲେ। ହେଲେ ସିଗାରେଟ୍ ନଦେବାରୁ ଚିଣ୍ଟୁ ରାଗି ଯାଇ ସନ୍ତୋଷଙ୍କ ଗୁପ୍ତାଙ୍ଗରେ ଗରମ ଚା’ ଢାଳି ଦେଇଥିଲେ। ପରେ ସନ୍ତୋଷ ଚିଲାଇବାରୁ ଚିଣ୍ଟୁ ସେହି ସ୍ଥାନରୁ ପଳାଇଥିଲେ।
ସ୍ଥାନୀୟ ଲୋକ ଆହତ ଅବସ୍ଥାରେ ସନ୍ତୋଷଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଗୁପ୍ତାଙ୍ଗ ଓ ଜଙ୍ଘ କ୍ଷତାକ୍ତ ହୋଇଥିଲା। ଧଉଳି ଥାନାରେ ସନ୍ତୋଷ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଥିବା ଜଣା ପଡ଼ିଛି।