Odisha Link
Bridging the Missing Links in Odisha

ଚାଷୀଙ୍କ ପାଇଁ ବଡ଼ ନିର୍ଦ୍ଦେଶ, ରବି ଫସଲ ଲଗାଇବା ସାମୟିକ ସ୍ଥଗିତ

ଓଏଲ୍‌ ବ୍ୟୁରୋ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବାତ୍ୟାକୁ ନଜରରେ ରଖି ଏସ୍ଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍ଆରସି। ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ କୃଷି ବିଭାଗ ପରାମର୍ଶ ଜାରି କରିଛି।

ବିଜ୍ଞପ୍ତି ଅନୁସାରେ, ଚାଷୀ ମାନେ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ସମ୍ଭବ ହେଲେ କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ନଚେତ ସମସ୍ତ କଟା ଧାନ ପଲିଥୁନ ଘୋଡାଇ ସୁରକ୍ଷିତ ରଖନ୍ତୁ। ଧାନ କଟା ଓ ଅମଳ ଯନ୍ତ୍ର ଉପଲବ୍ଧ ଥିଲେ ବିଲରୁ ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ। ମଧ୍ୟମ ଓ ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ। ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ।

ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋଥୀନ କିମ୍ବା ୨ମି.ଲି. ହିସାବରେ କ୍ଲୋରୋପାଇରିଫସ ଓ ସାଇପରମେଥୀନ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ।

ସେହିପରି ମକା ଓ ମିଲେଟ ଜାତୀୟ ଫସଲ ତୁରନ୍ତ ଅମଳ କରି ଦିଅନ୍ତୁ। ମୁଗ, ବିରି, ଚିନାବାଦାମ ଆଦି ଫସଲ ଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରନ୍ତୁ। ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ଉପଯୁକ୍ତ ରୋଗପୋକ ନିରୋଧକ ଔଷଧ ବ୍ୟବହାର କରନ୍ତୁ। ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ଓ ତଳିକୁ ଧଳା ଜରି ଦ୍ବାରା ଆଚ୍ଛାଦିତ କରନ୍ତୁ। ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ।

ବିଲରେ ଥିବା ପନିପରିବା ଫସଲରୁ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ। ରଞ୍ଜାରେ ମାଡିଥିବା ଲତା ଜାତୀୟ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଭଲ ଭାବରେ ବାନ୍ଧି ଦିଅନ୍ତୁ। ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ରହିଛି। ଏଥିପ୍ରତି ସଜାଗ ରହିବାକୁ ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି।

Leave A Reply

Your email address will not be published.