Odisha Link
Bridging the Missing Links in Odisha

ବାତ୍ୟା ଦାନା: ୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଓଏଲ୍‌ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ୧୪ଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସରକାର।

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁ ୧୪ଟି ଜିଲ୍ଲା ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି, ସେଗୁଡ଼ିକ ହେଉଛନ୍ତି- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ୨୩ ତାରିଖ ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

 

Leave A Reply

Your email address will not be published.