Odisha Link
Bridging the Missing Links in Odisha

ଖୁବଶୀଘ୍ର ବିଜେପିର ସାଙ୍ଗଠନିକ ନିର୍ବାଚନ, ୨୬ ତାରିଖରେ ହେବ କର୍ମଶାଳା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁରବି। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବୁଥ, ମଣ୍ଡଳ , ୩୬ ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ନିର୍ବାଚନ ହେବ। ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା। ଏହି ପ୍ରକ୍ରିୟା ଦୁଇ ତିନି ମାସ ପର୍ୟ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ତଥା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ।

ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ସହ ତିନି ନିର୍ବାଚନ ସହ ଅଧିକାରୀ, ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀମାନେ ଏହି କର୍ମଶାଳାରେ ଉପସ୍ଥିତ ରହିବେ। ଏଭଳି କର୍ମଶାଳାରେ ଜିଲ୍ଲା ସ୍ତରରେ ମଧ୍ୟ ହେବ। ସେଥିରେ ମଧ୍ୟ ସମ୍ପୃକ୍ତ ଜିଲ୍ଲା ସଂଗଠନର କାର୍ୟ୍ୟକର୍ତ୍ତା, ସେହି ଅଞ୍ଚଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବେ।

ଅପରପକ୍ଷେ ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ଭିତ୍ତିରେ ହେବ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ। ରାଜ୍ୟ ନିର୍ବାଚନ ଅଧିକାରୀ ଆଗାମୀ ଦୁଇ ଦିନ ଭିତରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

କ୍ଷମତାକୁ ଆସିବା ପରେ ଘର ସଜାଡିବା ଆରମ୍ଭ କରିଛି ବିଜେପି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛି ଦଳ। ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପଦ ଲାଗି ହେବ ନିର୍ବାଚନ। ପ୍ରତି ତିନିବର୍ଷରେ ଥରେ ହେବାକୁ ଥିବା ବିଜେପିର ସାଙ୍ଗଠନିକ ନିର୍ବାଚନ ଚଳିତଥର ଗୋଟିଏ ବର୍ଷ ପାଇଁ ଘୁଞ୍ଚାଯାଇଥିଲା। ଏବେ ନିର୍ବାଚନ ସରିବା ପରେ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ପାଇଁ ଅଣ୍ଟାଭିଡିଛି ରାଜ୍ୟ ବିଜେପି।

Leave A Reply

Your email address will not be published.