Odisha Link
Bridging the Missing Links in Odisha

୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ‘ଦାନା’, ୭ ଜିଲାକୁ ରେଡ୍‌ ଆଲର୍ଟ

ଓଏଲ୍‌ ବ୍ୟୁରୋ: ବାତ୍ୟାରେ ପରିଣତ ହୋଇଛି ଗଭୀର ଅବପାତ। ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଆଜି ରାତିରୁ ପାଗରେ ପରିବର୍ତ୍ତନ ହେବ। ଆସନ୍ତାକାଲି ଭୀଷଣ ରୂପ ଧାରଣ କରିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ‘ଦାନା’ ପ୍ରଭାବରେ ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.