Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ବାତ୍ୟା, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ!

ଓଏଲ୍‌ ବ୍ୟୁରୋ: ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଆଜି ରାତିରୁ ପାଗରେ ପରିବର୍ତ୍ତନ ହେବ। ଆସନ୍ତାକାଲି ଭୀଷଣ ରୂପ ଧାରଣ କରିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ପୁରୀ ଓ ସାରଗଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବାତ୍ୟାକୁ ନେଇ ସବୁ ବନ୍ଦରକୁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ କିଛି ସ୍ଥାନରେ ୪୦ରୁ ୫୦ କି.ମି ବେଗରେ ବହିବା ସମ୍ଭାବନା ରହିଛି। ବାତ୍ୟା ‘ଦାନା’ ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.