୨ ଏନସିପି, ଦୁଇ ଶିବସେନା ଓ ୨ ଜାତୀୟ ଦଳ; ମହାରାଷ୍ଟ୍ରରେ କଷୁଛନ୍ତି ବଳ

ଓଏଲ୍ ବ୍ୟୁରୋ: ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ନଭେମ୍ବର ମାସରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ହେବ ନିର୍ବାଚନ। ଏଥିସହିତ ଦେଶର ୪୭ ବିଧାନସଭା ଓ ୨ଟି ଲୋକସଭା ଆସନରେ ଉପନିର୍ବାଚନ ମଧ୍ୟ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ହେଲେ ମହାରାଷ୍ଟ୍ର ନିର୍ବାଚନକୁ ସାରା ଦେଶରେ ହେଉଛି ଚର୍ଚ୍ଚା।
ମହାରାଷ୍ଟ୍ର ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ବରେ ମହାୟୁତି ଓ କଂଗ୍ରେସର ନେତୃତ୍ବରେ ବିପକ୍ଷ ମହା ବିକାସ ଅଘାଡ଼ୀ ମଧ୍ୟରେ ଏଥର ଜୋରଦାର ଲଢ଼େଇ ହେବ। ମହାୟୁତିରେ ସାମିଲ ହୋଇଥିବା ଦଳ ଗୁଡ଼ିକ ଏପର୍ଯ୍ୟନ୍ତ ୧୮୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଅନ୍ୟପଟେ ମହାବିକାଶ ଅଘାଡ଼ିର ଆସନ ଭାଗବଣ୍ଟାକୁ ନେଇ ମାନସ ମନ୍ଥନ ଜାରି ରହିଛି।
ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପିର ୧୦୩ ବିଧାୟକ, ଶିବସେନା (ସିନ୍ଦେ)ର ୪୦ ଓ ଏନ୍ସିପି(ଅଜିତ ପାଓ୍ବାର)ର ୪୦ ଓ ବହୁଜନ ବକାଶ ଅଘାଡ଼ି ଦଳର ୨ ଜଣ ବିଧାୟକ ରହିଛନ୍ତି। ଅନ୍ୟପଟେ ମହା ବିକାଶ ଅଘାଡ଼ି କଥା କହିବା ଯଦି କଂଗ୍ରେସ ପାଖରେ ୪୩, ଶିବସେନା(ୟୁବିଟି)ର ୧୫ ଓ ଏନସିପି (ଶରଦ ପାଓ୍ବାର)ର ୧୩ ଜଣ ବିଧାୟକ ଅଛନ୍ତି। ସେହିପରି ସମାଜବାଦୀ ପାର୍ଟି, ଏଆଇଏମଆଇଏମର ଓ ପିଜେପିର ୨ ଜଣ ଲେଖାଏଁ ବିଧାୟକ ଅଛନ୍ତି। ଏମଏନଏସ, ସିପିଏମ୍, ଶୋକାପ, ସ୍ବାଭିମାନୀ ପାର୍ଟି, ରାଷ୍ଟ୍ରୀୟ ସମାଜ ପାର୍ଟି, ମହାରାଷ୍ଟ୍ର ଜନସୁରାଜ୍ୟ ଶକ୍ତି ପାର୍ଟି, କ୍ରାନ୍ତିକାରୀ ଶେତକାରୀ ପାର୍ଟିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।