ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ଦୁଇ ଦେଶର ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବ । ବିଶ୍ୱ ଆହ୍ୱାନର ସମାଧାନ ପାଇଁ ଜ୍ଞାନକୌଶଳର ଉପଯୋଗ କରିପାରିବ । ଛାତ୍ରଛାତ୍ରୀଙ୍କ ପାଇଁ ଉନୋଭେସନ ଏବଂ ଉଦ୍ୟମିତା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ । ବିଶ୍ୱ-ବନ୍ଧୁ ହିସାବରେ ଭାରତ ମାନବ କେନ୍ଦ୍ରୀତ ବିକାଶରେ ବିଶ୍ୱସ୍ତ ଅଂଶୀଦାର ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅଷ୍ଟ୍ରେଲିଆର ମେଲବର୍ଣ୍ଣଠାରେ ଆୟୋଜିତ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଶ୍ରୀ ପ୍ରଧାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୁଦୃଢ଼ ଏବଂ ବିକଶିତ ଭାଗିଦାରୀକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଏହି ଦ୍ୱିପାକ୍ଷିକ ସହଯୋଗ ଉଭୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ ହେବ । ସେ ଆହୁରି କହିଥିଲେ ଯେ ଚତୁର୍ଥ ଶିଳ୍ପ ବିପ୍ଳବରେ ଏପରି ଶିକ୍ଷା ହେବା ଆବଶ୍ୟକ, ଯେଉଁ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟାର ସୃଷ୍ଟିକର୍ତ୍ତା ଏବଂ ଓ ପରିଚାଳକ ହେବା ପାଇଁ ପ୍ରସ୍ତୁତ କରିବ । ଭାରତର ଜାତୀୟ ଶିକ୍ଷା ନୀତି ପରିବର୍ତ୍ତିତ ଚାକିରି ବଜାର ସହ ଯୋଡି ହେବା ପାଇଁ ଡିଜିଟାଲ ସାକ୍ଷରତା, ସଫ୍ଟ ସ୍କିଲ୍, କ୍ରିଟିକାଲ ଥିଙ୍କିଂ ଏବଂ ଇଣ୍ଟରଡିସିପ୍ଲିନାରୀ ଷ୍ଟଡିଜ୍ ଉପରେ ଗୁରୁତ୍ୱାରୋପ କରି ଏକ ଢାଞ୍ଚା ପ୍ରଦାନ କରିଛି । ଶିକ୍ଷା କ୍ଷେତ୍ରରେ ସହଯୋଗ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ମୂଳଦୁଆ ବୋଲି ଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ଦକ୍ଷତା ଭିତ୍ତିକ ଢାଞ୍ଚାରେ ପରିଣତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି କିପରି ଭାରତ ଶିକ୍ଷଣ ଦୃଶ୍ୟପଟ୍ଟକୁ ସମ୍ଭାବନାର ଏକ ପାଓ୍ୱାରହାଉସରେ ପରିଣତ କରିଛି, ତାହା ଉପରେ ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଭାରତ-ଅଷ୍ଟ୍ରେଲିଆର ଦୀର୍ଘମିଆଦୀ ସମ୍ପର୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତକୁ ମିଳିବାକୁ ଥିବା ଲାଭ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଭାରତରେ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠା କେବଳ ଆରମ୍ଭ ମାତ୍ର । ଏହା ଦ୍ୱାରା ଆଗାମୀ ଦିନରେ ଅନେକ ସମ୍ଭାବନା ବାସ୍ତବରେ ପ୍ରତିଫଳିତ ହେବ ।
ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଶ୍ରୀ କ୍ଲେୟାର ତାଙ୍କ ଅଭିଭାଷଣରେ କହିଥିଲେ ଆମର ଶିକ୍ଷା ବ୍ୟବସ୍ଥା ଉନ୍ନତ ହେବା ଦରକାର । ଯେଉଁ ଶିକ୍ଷା ବ୍ୟବସ୍ଥା ଜୀବନ ଠାରୁ ଅଧିକ ପରିବର୍ତ୍ତନ କରିପାରିବ । ଏହା ଦ୍ୱାରା ଦେଶ ଗୁଡ଼ିକରେ ପରିବର୍ତ୍ତନ ଆସିପାରିବ । ଭାରତର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୩୫ ସୁଦ୍ଧା ବିଶ୍ୱର ପ୍ରତି ଚାରି ଜଣଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ହାସଲ କରିଥିବା ଜଣେ ବ୍ୟକ୍ତି ଭାରତୀୟ ହେବ । ଭାରତରେ ଥିବା ଅଷ୍ଟ୍ରେଲିଆର ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତରେ ଏକ କନସୋର୍ଟିୟମ କ୍ୟାମ୍ପସ ବା ଦୁଇ ଦେଶର ମିଳିତ ସହଯୋଗରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଛଅଟି ଅଭିନବ ଗବେଷଣା ବିଶ୍ୱବିଦ୍ୟାଳୟ କରୁଥିବା କାର୍ଯ୍ୟକୁ ମଧ୍ୟ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।
ଅନ୍ୟ ଏକ ଶ୍ରୀ ପ୍ରଧାନ ଓ ଶ୍ରୀ କ୍ଲେୟାରଙ୍କ ମଧ୍ୟରେ ବସିଥିବା ପୃଥକ ବୈଠକରେ ପ୍ରାରମ୍ଭିକ ଶୈଶବ ଯତ୍ନ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଏବଂ ସ୍କୁଲ ଟ୍ୱିନିଂ ପଦକ୍ଷେପର ସମ୍ଭାବନା ସମ୍ପର୍କରେ ଭାରତ ଓ ଅଷ୍ଟ୍ରେଲିଆର ମିଳିତ ପ୍ରାଥମିକତା ସମ୍ପର୍କରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଭାରତ ଏବଂ ଅଷ୍ଟ୍ରେଲିଆର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଦୃଢ଼ ସଂସ୍ଥାଗତ ସମ୍ପର୍କକୁ ଆଧାର କରି ସେମାନେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ସହମତି ପ୍ରକାଶ କରିଥିଲେ । ଭାରତରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଶାଖା କ୍ୟାମ୍ପସ ପ୍ରତିଷ୍ଠା କରିବା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଥିଲା । ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ସହକାରୀ ମନ୍ତ୍ରୀ ଟିମ୍ ୱାଟ୍ସଙ୍କୁ ମଧ୍ୟ ଭେଟିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଭିକ୍ଟୋରିଆର ପ୍ରିମିୟର ଜେସିଣ୍ଟା ଆଲାନଙ୍କୁ ଭେଟିଥିଲେ । ସେ କହିଥିଲେ ଭିକ୍ଟୋରିଆରେ ଅଧିକ ପ୍ରବାସୀ ଭାରତୀୟ ବସବାସ କରନ୍ତି । ଭାରତ ସହ ଭିକ୍ଟୋରିଆର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂସ୍ଥାଗତ ସଂଯୋଗକୁ ସୁଦୃଢ଼ କରିବା ଉପରେ ଉଭୟ ଆଲୋଚନା କରିଥିଲେ ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ‘ସାଉଥ ମେଲବର୍ଣ୍ଣ ପ୍ରାଇମେରୀ ସ୍କୁଲ’ ପରିଦର୍ଶନ କରି ଯୁବ ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଟେକ୍ନୋଲୋଜି, ଡିଜାଇନ ଏବଂ ଏଣ୍ଟରପ୍ରାଇଜର କେନ୍ଦ୍ର ‘ରୟାଲ ମେଲବର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆରଏମଆଇଟି) ପରିଦର୍ଶନ କରିଥିଲେ। ଶ୍ରୀ ପ୍ରଧାନ ଅନୁଷ୍ଠାନର ‘ଡିସକଭରୀ ଟୁ ଡିଭାଇସ୍’ ମେଡ୍-ଟେକ୍ ସୁବିଧା, ଉତ୍ପାଦଗୁଡ଼ିକର ଫାଷ୍ଟ ଟ୍ରାକିଂ ଆଇଡିଆ ଉପରେ ଅନ୍ୱେଷଣ କରିଥିଲେ । ଦୀର୍ଘ ଦଶନ୍ଧି ଧରି ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବରେ ଅଗ୍ରାଧିକାର ଦେଉଥିବା ମୋନାଶ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଇନୋଭେସନ ଲ୍ୟାବ୍ ଆଣ୍ଡ ସେଣ୍ଟର ଫର୍ ନାନୋଫେବ୍ରିକେସନ୍ ପରିଦର୍ଶନ କରିଥିଲେ ଶ୍ରୀ ପ୍ରଧାନ ।
‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଭାରତୀୟ ପ୍ରତିନିଧି ମଣ୍ଡଳୀ, ଉଭୟ ଦେଶର ବିଶ୍ୱବିଦ୍ୟାଳୟ ମୁଖ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।