ବାତ୍ୟା ‘ଦାନା’ ପ୍ରଭାବ: ୩୦୦ ବିମାନ ଉଡ଼ାଣ, ୫୫୨ ଟ୍ରେନ୍ ବାତିଲ

ଓଏଲ୍ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟାକୁ ନଜରରେ ରଖି ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ଓ କୋଲକାତା ବିମାନବନ୍ଦର ପକ୍ଷରୁ ୩୦୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହହିପରି ୫୫୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି।
ସାଉଥ-ଇଷ୍ଟ ରେଲଓ୍ବ ପକ୍ଷରୁ ୧୫୦ଟି ଟ୍ରେନ୍, ଇଷ୍ଟ କୋଷ୍ଟ ପକ୍ଷରୁ ୧୯୮, ଇଷ୍ଟର୍ଣ୍ଣ ରେଲଓ୍ବ ପକ୍ଷରୁ ୧୯୦ ଓ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ୧୪ଟି ଟ୍ରେନ୍ ବାତିଲ କରାଯାଇଛି। ସମୁଦାୟ ୫୫୨ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ରହିବ ବାତ୍ୟାର ଅଧିକ ପ୍ରଭାବ। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ। ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ।
ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି।