Odisha Link
Bridging the Missing Links in Odisha

ପୁଣେ ଟେଷ୍ଟ: ୩ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି ଭାରତ, ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ

ଓଏଲ୍‌ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ପୁଣେଠାରେ ଖେଳାଯାଉଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଟସ୍‌ ଜିିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇଛି ଭାରତ। ସବୁଠୁ ବଡ଼କଥା ହେଲା ବେଙ୍ଗାଲୁରୁ ଟେଷ୍ଟ ହାରିବା ପରେ ୨ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି ଭାରତ।

କେଏଲ୍‌ ରାହୁଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଶୁଭମନ ଗିଲ୍‌ ଓ ଓ୍ବାଶିଂଟନ୍‌ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ମହମ୍ମଦ ସିରାଜଙ୍କ ସ୍ଥାନରେ ଆକାଶଦୀପଙ୍କୁ ସୁଯୋଗ ମିଳିଛି। ଆଜିଠୁ ଆରମ୍ଭ ହୋଇଥିବା ପୁଣେ ଟେଷ୍ଟ୍ ଭାରତ ପାଇଁ ଏକପ୍ରକାର କଠିନ ପରୀକ୍ଷା ସଦୃଶ ହୋଇଛି। ସେପଟେ ୩୬ବର୍ଷର ବ୍ୟବଧାନ ପରେ ଭାରତକୁ ଭାରତରେ ହରାଇ ନ୍ୟୁଜିଲାଣ୍ଡ ପୂରା ଆତ୍ମବିଶ୍ବାସରେ ଥିଲା ବେଳେ ପୁଣେରେ ବେଙ୍ଗାଲୁରୁର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଏହା ହେଲେ ଅବିଶ୍ବସନୀୟ ଶୃଙ୍ଖଳା ବିଜୟ ହାସଲ କରି ନ୍ୟୁଜିଲାଣ୍ଡ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ସ୍ବଳ୍ପ ଦିନର ଦାଦାଗିରିକୁ ଏକପ୍ରକାର ଶେଷ କରିବ। ନିଜ ଇତିହାସରେ ନୂଆ ଅଧ୍ୟାୟ ବି ଯୋଡ଼ିବ।

ପୁଣେରେ ସ୍ପିନର୍‌ଙ୍କୁ ସୁହାଉଥିବା ପିଚ୍‌ ମିଳିବ ବୋଲି ପୂର୍ବାନୁମାନ ଲଗାଇ କିୱି ବାହିନୀ ମଧ୍ୟ ନିଜ ଦଳରେ ଚାରିଜଣ ସ୍ପିନରଙ୍କୁ ସାମିଲ କରିବାର ସଙ୍କେତ ଦେଇଛି। ଭାରତ ବି ପୂରା ପ୍ରସ୍ତୁତ ରହିଛି। ତେବେ ପୁଣେ ପ୍ରତ୍ୟାବର୍ତ୍ତନର ଚାବିକାଠି ଯେ ଦଳର ଅଲରାଉଣ୍ଡ୍‌ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିବ, ସେକଥା ଉଭୟ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବୀକାର କରିଛନ୍ତି।

ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ, ସର୍ଫରାଜ ଖାନ୍, ରବୀନ୍ଦ୍ର ଜାଡ଼େଜା, ଆର୍‌ ଅଶ୍ବିନ, ଓ୍ବାଂଶିଟନ୍‌ ସୁନ୍ଦର, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ

ନ୍ୟୁଜିଲାଣ୍ଡ ଦଳ: ଟମ୍ ଲାଥାମ (ଅଧିନାୟକ), ଡେଭନ୍ କନୱେ, ୱିଲ୍ ୟଙ୍ଗ, ରାଚିନ ରବୀନ୍ଦ୍ର, ଡାରେଲ ମିଚେଲ, ଟମ୍ ବ୍ଲଣ୍ଡେଲ୍, ଗ୍ଲେନ୍ ଫିଲିପ୍ସ, ମିଚେଲ ସାଣ୍ଟନର୍, ଟିମ୍ ସାଉଦି, ୱିଲ ଓ’ରୁର୍‌କି, ଏଜାଜ ପଟେଲ।

Leave A Reply

Your email address will not be published.