Odisha Link
Bridging the Missing Links in Odisha

ପୁରୀରେ ଲଗାଣ ବର୍ଷା, ଅସ୍ତରଙ୍ଗରେ ବାତ୍ୟାର ପ୍ରଭାବ

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ତେଣୁ ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ଭୋର ସମୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଜାରି ରହିଛି। ପାରାଦୀପରେ ସର୍ବାଧିକ ୫୧ ଓ ଚାନ୍ଦବାଲିରେ ୩୯ ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ବର, ପୁରୀ, ଗୋପାଳପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ଜାରି ରହିଛି।

ଅନ୍ୟପଟେ, ବାତ୍ୟା ଦାନାର ପ୍ରଭାବରେ ପୁରୀ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଜାରି ରହିଛି। ବିଶେଷ କରି ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ଅଂଚଳରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି। ପବନ ବହିବା ହେତୁ କିଛି ସ୍ଥାନରେ ଗଛ ଭାଙ୍ଗି ପଡିଥିବା ନଜରକୁ ଆସିଛି। ତେବେ ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବନ୍ଦୋବସ୍ଥା କରାଯାଇଛି। ପୁରୀରେ ମଧ୍ୟ ବାତ୍ୟାର ପ୍ରଭାବରେ ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବା ସହ ମଝିରେ ମଝିରେ ପବନ ବହୁଥିବା ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.