ଦୁର୍ବଳ ହେଲା ଦାନା, ସ୍ୱାଭାବିକ ହେଲା ବିମାନ ଚଳାଚଳ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବିନା କୌଣସି ମୃତାହତରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ମଧ୍ୟରାତ୍ର ପରେ ୧୧୦-୧୨୦ କିଲୋମିଟର ବେଗରେ ପବନ ବହିଥିଲା। ଏହି ବାତ୍ୟା ଏବେ ଉତ୍ତର ଉପକୂଳ ଓଡ଼ିଶା ଉପରେ ୧୦ କିଲୋମିଟର ବେଗରେ କେନ୍ଦ୍ରୀଭୂତ ହୋଇ ଦୁର୍ବଳ ହୋଇପଡ଼ିଛି।
ବାତ୍ୟା ଦୁର୍ବଳ ହୋଇପଡ଼ିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଯେଉଁ ବିମାନ ସବୁ ବାତିଲ ହୋଇଥିଲା ସେ ସବୁକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ବାତ୍ୟାକୁ ନଜରରେ ରଖି ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ଓ କୋଲକାତା ବିମାନବନ୍ଦର ପକ୍ଷରୁ ୩୦୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିବା ପରେ କୋଲକାତା ଏବଂ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଉଭୟ ବିମାନବନ୍ଦର ବନ୍ଦ ରହିଥିଲା।