କେନ୍ଦ୍ରାପଡ଼ାରେ ଉପମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ପରିଦର୍ଶନ କଲେ ପ୍ରଭାବିତ ଅଞ୍ଚଳ

ଓଏଲ୍ ବ୍ୟୁରୋ: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବିନା କୌଣସି ମୃତାହତରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି।
ବାତ୍ୟା ପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସ୍ଥିତି ସମୀକ୍ଷା କରିଛନ୍ତି। ହାବେଳିଖଟିରେ ବାତ୍ୟା ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ସହ ଭେଟିଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ଏହା ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ବାତ୍ୟା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଥିବାବେଳେ ଆଜି ବାତ୍ୟା ପର ପରିସ୍ଥିତିକୁ ପରଖିଛନ୍ତି।