Odisha Link
Bridging the Missing Links in Odisha

ବାତ୍ୟା ପରେ ଚିନ୍ତାରେ ଚାଷୀ, ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଜାରି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି। କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି।

ରାସ୍ତାରେ ମୁହଁମାଡ଼ି ପଡ଼ିଛନ୍ତି ବିରାଟ ବିରାଟ ଗଛ। ଚାଷ ବୁଡିଛି, ମୁଣ୍ଡରେ ହାତ ଦେଇ ଚାଷୀ ବସିଛି। ପିଲାଛୁଆଙ୍କୁ ଧରି ଘରବାଡି ଛାଡି ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ଭାଙ୍ଗି ପଡ଼ିଥିବା, ଉପୁଡି ପଡ଼ିଥିବା ଗଛକୁ ଏନଡ଼ିଆରଏଫ, ଓଡ୍ରାଫ ଦଳ କଟର ମେସିନ ସାହାଯ୍ୟରେ ହଟାଇବ କାର୍ଯ୍ୟରେ ଲାଗି ପଡିଛନ୍ତି।

ଭୀଷଣ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଇଁ ଚାଷୀଙ୍କ ଚିନ୍ତା ବଢିଛି। ସୁନାର ଫସଲରେ ବାଧା ସୃଷ୍ଟି ହୋଇଥିବାରୁ ଚାଷୀକୁ ବର୍ଷଜାକର ଫସଲ ଚିନ୍ତା ଘାରିଛି। ଆଜି ସକାଳୁ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲିରେ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏବେ ବି ଲଗାଣ ବର୍ଷା ଜାରି ରହିଛି।

ବାତ୍ୟା ପ୍ରଭାବରେ ରାଜକନିକାରେ ୧୫୬, ମାର୍ଶାଘାଇରେ ୧୧୦ ଓ ରାଜନଗରରେ ୧୦୦ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ୍‌ ପରେ ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ରେଡ୍‌ ଆଲର୍ଟ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.