କାଲିଠୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ଓଏଲ୍ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ବାତ୍ୟା ଦାନାର ପ୍ରଭାବ ପଡ଼ିନାହିଁ। ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଯେଉଁ କଟକଣା ଲାଗୁ କରିଥିଲା ସେହି ସବୁ କଟକଣା କୋହଳ କରିଛି ପୁରୀ ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ।
ଜିଲ୍ଲାପାଳ କହିଛନ୍ତି, ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ି ନିଜ ଘରକୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏବେ ସ୍ଥିତି ସୁଧୁରିଛି। ପର୍ଯ୍ୟଯନମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ଦସହିତ ସମୁଦ୍ର କୂଳରେ ବୁଲି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସମୁଦ୍ର କୂଳରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ଅଛନ୍ତି।
ଆସନ୍ତା କାଲିଠାରୁ ହବିଷ୍ୟାଳୀ ମା ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ବାତ୍ୟା ଯୋଗୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିର ବନ୍ଦ ଥିବା ବେଳେ ଆଜି ପୂର୍ବାହ୍ନ ସାଢେ଼ ଏଗାରଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ସୂଚନାଥାଉକି, ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ଯେଉଁଭଳି ଭାବେ ଆକଳନ କରାଯାଇଥିଲା ସେହିପରି ବିଶେଷ କିଛି କ୍ଷୟକ୍ଷତି ଘଟି ନାହିଁ।