ଆଲୋକିତ ହେବ ବାତ୍ୟା ପ୍ରଭାବିତ ଅଂଚଳ, ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗୀକରଣ
ଓଏଲ୍ ବ୍ୟୁରୋ: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବିନା କୌଣସି ମୃତାହତରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି।
ବାତ୍ୟା ପରେ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ। କହିଥିଲେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ନ ପ୍ରସବା ମହିଳାଙ୍କୁ ଯେଉଁଭଳି ଭାବେ ପିଏସସି ଓ ସିଏସସିକୁ ସ୍ଥାନାନ୍ତର କରାଗଲା, ଏବଂ ସେମାନଙ୍କୁ ଚିକିତ୍ସା କରାଗଲା, ତାହା ବି ପ୍ରଶଂସନୀୟ। ବାତ୍ୟା ଭଳି ସମୟରେ ପାଖାପାଖି ୧୬ ଶହ ଶିଶୁ ସୁସ୍ଥଭାବେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ୧୩ଜଣ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଛନ୍ତି।
ତେବେ ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ କିଭଳି ରାସ୍ତାଘାଟ ପରିଷ୍କାର ହେବ, ପୁଣିଥରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ସେଥିପାଇଁ ଏନଡିଆରଏଫ୍ ଟିମ୍ ଜୋରସୋରରେ ଲାଗିପଡିଛନ୍ତି। ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରଭାବିତ ଅଞ୍ଚଳ ଆଲୋକିତ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି। ବାତ୍ୟା ପାଇଁ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ କେବେ ଏତେ ସ୍ଥାନାନ୍ତରଣ ହୋଇନଥିଲା। ଗୋ ସମ୍ପଦ ସ୍ଥାନାନ୍ତରଣରେ ବି ଓଡ଼ିଶା ରେକର୍ଡ କରିଥିବା ମନ୍ତ୍ରୀ କହିଛନ୍ତି।
ଏହାସହ ବାତ୍ୟା ମୁକାବିଲାରେ ଘଟଣାସ୍ଥଳରେ ଗାଁର ଆଶାଦିଦିଙ୍କ ଠାରୁ ଆରମ୍ଭ କରି ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମଙ୍କ ସହ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅବଦାନକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। କହିଲେ, ଏମାନେ ବାତ୍ୟାର ବାସ୍ତବ ଯୋଦ୍ଧା। ଏହି କ୍ରମରେ ରାଜନଗରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସାହସିକତା କଥା କହିଛନ୍ତି ସୁରେଶ ପୂଜାରୀ। ଯେଉଁଭଳି ଭାବରେ ବର୍ଷା ପବନ ଭିତରେ ନିଜ ଜୀବନକୁ ବାଜି ଲଗାଇ ସେ ୭ ଜଣଙ୍କୁ ରିଲିଫ୍ ସେଣ୍ଟରକୁ ନିଜ କାନ୍ଧରେ ବୋହିନେଲେ ତାହା ବାସ୍ତବିକ ପ୍ରଶଂସନୀୟ। ତାଙ୍କର ଏଭଳି କାର୍ଯ୍ୟ ପ୍ରକୃତରେ ଏକତା ଭାବନା ତଥା ଓଡିଆ ଅସ୍ମିତାର ପରିଚୟ ଦେଇଛି।