ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ଆଜି ୫୪ଟି ଟ୍ରେନ୍ ବାତିଲ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ କୌଣସି ଯାତ୍ରୀଙ୍କ ଯେମିତି ଧନ ଓ ଜୀବନ କ୍ଷତି ନ ହେଉ ତାହାକୁ ଧ୍ୟାନ ଦେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ୫୪ ଟ୍ରେନ୍ ବାତିଲ ରଖାଯାଇଛି। ଶନିବାର ୧୦ଟି ଟ୍ରେନ୍ ଓ ୨୭ ତାରିଖରେ ୩ ଓ ୨୯ରେ ମଧ୍ୟ ୩ଟି ଟ୍ରେନ୍ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥ ଅଞ୍ଚଳରେ ୧୦୩ଟି ଟ୍ରେନ୍ ବାତିଲ ହୋଇଥିବାରୁ ବିଭିନ୍ନ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ପୂର୍ବରୁ ଯାତ୍ରା ପାଇଁ ଯୋଜନା କରିଥିବା ବହୁ ଯାତ୍ରୀ ବିଭିନ୍ନ ଷ୍ଟେସନରେ ପହଞ୍ଚିବା ପରେ ହା ହତାଶ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି। ଟ୍ରେନ୍ ଆସୁନଥିବାରୁ ଷ୍ଟେସନରେ ଯାହା ମିଳୁଛି ତାହା ଖାଇ କେବେ ପରିସ୍ଥିତି ସୁଧୁରିବ, ସେହି ସମୟକୁ ଅପେକ୍ଷା କରିଛନ୍ତି।